ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା: ନଦୀ, ପୁଷ୍କରିଣୀରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ

କାକଟପୁର,୧୨।୧୧(ଡି.ଏନ୍‌.ଏ.): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମଙ୍ଗଳବାର ପ୍ରତ୍ୟୁଷରୁ ଅଞ୍ଚଳର ଆବାଳ ବୃଦ୍ଧବନିତା ନଦୀ ଏବଂ ପୁଷ୍କରିଣୀରେ ଡଙ୍ଗା ଭସାଇ ଓଡ଼ିଶାର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇଛନ୍ତି। ପୁରୀ ଜିଲାର କାକଟପୁର, ଅସ୍ତରଙ୍ଗ ଅଞ୍ଚଳଦେଇ ପ୍ରବାହିତ ପ୍ରାଚୀ, କାଦୁଆ, ଦେବୀ ନଦୀର ବିଭିନ୍ନ ଘାଟ ଏବଂ ବିଭିନ୍ନ ଗ୍ରାମରେ ଥିବା ପୁଷ୍କରିଣୀରେ ଶ୍ରଦ୍ଧାଳୁମାନେ ସ୍ନାନ କରି ସୋଲ, କଦଳୀ ପାଟୁଙ୍ଗା ଉପରେ ଦୀପ ଲଗାଇ, ପାନଗୁଆ, ହଳଦୀ, ସିନ୍ଦୁର ଥୋଇ ଆକାମାବୈ ଗୀତ ଗାଇ ପାଣିରେ ଭସାଇଥିଲେ। ହରିବୋଲ, ହୁଳହୁଳି ଶବ୍ଦରେ ନଦୀ ଓ ପୋଖରୀକୂଳ ପ୍ରକମ୍ପିତ ହୋଇଉଠିଥିଲା। ଏହାପରେ ଶ୍ରଦ୍ଧାଳୁମାନେ ଦେବଦେବୀଙ୍କୁ ଦର୍ଶନ କରି ଆର୍ଶୀବାଦ ଭିକ୍ଷା କରିଥିଲେ।