ଆଜି ଦଶମୂଳ ଲାଗିହେବେ ମହାପ୍ରଭୁ

ପୁରୀ ଅଫିସ,୨୯ା୬: ଅଣସର ଘରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତସେବା। ଦଇତାପତିମାନେ ଶ୍ରୀଜୀଉମାନଙ୍କୁ ସୁସ୍ଥ କରିବା ପାଇଁ ସେବା କରୁଛନ୍ତି। ଏକାଦଶୀରେ ମହାପ୍ରଭୁ ଲାଗିହେବେ ଦଶମୂଳ। ଜ୍ୱରରେ ପୀଡ଼ିତ ଦାରୁବିଗ୍ରହମାନେ ଏହି ଦଶମୂଳ ଲାଗି ହେଲେ ସୁସ୍ଥ ହୁଅନ୍ତି। ତେଣୁ ଶୁକ୍ରବାର ଶ୍ରୀମନ୍ଦିରର ବୈଦ୍ୟ ସେବକମାନେ ମହାପ୍ରଭୁଙ୍କ ପାଇଁ ଦଶମୂଳ ପ୍ରସ୍ତୁତି କରି ଶ୍ରୀମନ୍ଦିର ଗାରଦରେ ଦାଖଲ କରିଛନ୍ତି।
ଦଶମୂଳ ହେଉଛି ମହାପ୍ରଭୁଙ୍କ ଔଷଧ। ଏକମାସ ପୂର୍ବରୁ ଏହାକୁ ସଂଗ୍ରହ କରିବାକୁ ପଡ଼ିଥାଏ। ସ୍ନାନପୂର୍ଣ୍ଣିମା ପରେ ଦଶମୂଳ ଯଥା ଗମ୍ଭାରୀ, ଫଣଫଣା, ଶାଳପନ୍ନି, କୃଷ୍ଣପନ୍ନି, ଅଗବଥୁ, ଲବିଂ କୋଳି, ବେଲ, ଅଙ୍କରାନ୍ତି, ଗୋଖରା ଏବଂ ନବାଙ୍କୁରୀକୁ ଶୁଖାଯାଇଥାଏ। ଏହାକୁ ହେମଦସ୍ତାରେ କୁଟାହୋଇ ଗୁଣ୍ଡ କରାଯାଏ। ଏହି ଗୁଣ୍ଡକୁ ଗାମୁଛାରେ ଛଣାଯାଏ। ନୂତନ କାଠ ଚୁଲିରେ କଡେଇ ବସାଯାଇ ଖୁଆ, ସର୍କରା, ସର, ମହୁ, ଘିଅ, ଅଳ୍ପ ଭାଙ୍ଗ ଇତ୍ୟାଦି ପକାଯାଇ ଦଶମୂଳକୁ ପାଗ କରାଯାଏ। ପାଗ ପରେ ତାହାକୁ ଥଣ୍ଡାକରି ଗୋଲାକାର ମୋଦକ ପ୍ରସ୍ତୁତ ହୁଏ। ୩ଟି କୁଡୁଆରେ ଦଶମୂଳ ମୋଦକକୁ ରଖି ଏହା ଉପରେ କର୍ପୂର ପକାଇ ତାଳପତ୍ର ଭୋଗେଇରେ ପ୍ୟାକିଂ କରାଯାଏ। ଦଶମୀ ତିଥିରେ ଶ୍ରୀମନ୍ଦିର ଗାରଦରେ ଏହାକୁ ଦାଖଲ କରାଯାଏ। ମହାପ୍ରଭୁଙ୍କ ଏହି ବୈଦ୍ୟସେବା ଡ. ଦୁର୍ଗାନନ୍ଦନ ମିଶ୍ର, ରୁଦ୍ରନନ୍ଦନ ମିଶ୍ର, ନନ୍ଦନନ୍ଦନ ମିଶ୍ର ଓ ସୁଧାଂଶୁ ପ୍ରସାଦ ମିଶ୍ର କରିଆସୁଛନ୍ତି।
ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର ମିଶ୍ର କୁହନ୍ତି, ମହାପ୍ରଭୁ ମାନବୀୟ ଲୀଳା କରିଥାନ୍ତି। ପ୍ରତିବର୍ଷ ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନମଣ୍ଡପରେ ଚତୁର୍ଦ୍ଧା ବିଗ୍ରହ ୧୦୮ ଗଡୁ ଜଳରେ ସ୍ନାନକରି ଜ୍ୱରରେ ପୀଡ଼ିତ ହୁଅନ୍ତି। ଏହା ପରଠାରୁ ଆଷାଢ଼ କୃଷ୍ଣ ଦଶମୀ ଯାଏ ମହାପ୍ରଭୁ ଧଳାବସ୍ତ୍ର ପରିଧାନ କରିଥାନ୍ତି। ଆଷାଢ଼ କୃଷ୍ଣ ଏକାଦଶୀରେ ମହାପ୍ରଭୁ ବାରଲାଗି ପାଟ ପରିଧାନ କରିବେ। ଶ୍ରୀବିଗ୍ରହଙ୍କୁ ତୁଳସୀ ଲାଗିହେବ। ଏହାପରେ ଜ୍ୱରରୁ ଉପଶମ ଲାଗି ମହାପ୍ରଭୁଙ୍କୁ ଦଶମୂଳ ଲାଗି କରାଯିବାର ବିଧି ରହିଛି।