ଆଜି ଜେଇଇ ଆଡ୍‌ଭାନ୍ସ : ଓଡ଼ିଶାରୁ ପରୀକ୍ଷା ଦେବେ ୩,୨୬୧ ପରୀକ୍ଷାର୍ଥୀ

ଭୁବନେଶ୍ୱର,୨୭।୫(ବ୍ୟୁରୋ) : ସୋମବାର ସମଗ୍ର ଦେଶରେ ଅନୁଷ୍ଠିତ ହେବ ଜେଇଇ ଆଡ୍‌ଭାନ୍ସ ପରୀକ୍ଷା। ଦେଶର ସମସ୍ତ ଆଇଆଇଟି ସହ ଆଇଆଇଟି ଧାନବାଦ ତଥା ଇଣ୍ଡିଆନ୍‌ ସ୍କୁଲ ଅଫ୍‌ ମାଇନ୍ସ(ଆଇଏସ୍‌ଏମ୍‌)ରେ ନାମଲେଖା ପାଇଁ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଏଥର ମୋଟ ୧ଲକ୍ଷ ୭୬ହଜାର ଛାତ୍ରୀଛାତ୍ର ପରୀକ୍ଷା ପାଇଁ ନାମ ପଞ୍ଜୀକରଣ କରିଥିବା ବେଳେ ଓଡ଼ିଶାରୁ ୩,୨୬୧ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେବେ। କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ ବା ସିବିଟି ମାଧ୍ୟମରେ ପରୀକ୍ଷା କରାଯିବ। ଚଳିତବର୍ଷ ଓଡ଼ିଶାରେ ଭୁବନେଶ୍ୱର, କଟକ, ରାଉରକେଲା ଓ ବ୍ରହ୍ମପୁରରେ ପରୀକ୍ଷା କେନ୍ଦ୍ର ହୋଇଛି।
ଜେଇଇ ଆଡ୍‌ଭାନ୍ସ ପାଇଁ ଦୁଇଟି ପେପରରେ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ପେପର-୧ ଓ ଅପରାହ୍ନ ୨ଟାରୁ ୪ଟା ପର୍ଯ୍ୟନ୍ତ ପେପର-୨ ପରୀକ୍ଷା ଅନୁଷ୍ଠିତ ହେବ। ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କୁ ଅଧିକ ଏକ ଘଣ୍ଟା ସମୟ ଦିଆଯିବ। ପରୀକ୍ଷା କେନ୍ଦ୍ର ମଧ୍ୟକୁ ଆଡ୍‌ମିଟ୍‌ କାର୍ଡ ଓ ଫଟୋ ପରିଚୟପତ୍ର ନେବା ବାଧ୍ୟତାମୂଳକ ରହିଛି। ସ୍ମାର୍ଟଫୋନ୍‌, କାଲକୁଲେଟର, ଆଇପ୍ୟାଡ୍‌, ସ୍ବାର୍ଟଓ୍ବାଚ୍‌ ଭଳି କୌଣସି ପ୍ରକାର ବୈଦ୍ୟୁତିକ ସାମଗ୍ରୀ ନେବାକୁ ଅନୁମତି ନାହିଁ। ସେହିଭଳି ବ୍ରେସ୍‌ଲେଟ୍‌, ରିଙ୍ଗ୍‌, ଇୟରିଂ ଓ ବଡ଼ ବଡ଼ ବଟମ୍‌ ଥିବା ଡ୍ରେସ୍‌ ପିନ୍ଧିବାକୁ ପରୀକ୍ଷାର୍ଥୀଙ୍କୁ ବାରଣ କରାଯାଇଛି। ଜେଇଇ ଆଡ୍‌ଭାନ୍ସ ଲାଗି ନାମ ପଞ୍ଜୀକରଣ ଚଳିତ ମେ ୩ରୁ ୯ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ହେଲେ ଓଡ଼ିଶାରେ ବାତ୍ୟା ‘ଫନୀ’ ଯୋଗୁ ନାମ ପଞ୍ଜୀକରଣ ଅବଧିକୁ ୧୪ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଆସନ୍ତା ଜୁନ୍‌ ୧୪ରେ ପରୀକ୍ଷା ଫଳ ପ୍ରକାଶ ପାଇବ।