Categories: ଜାତୀୟ

ଆଜି କମଲନାଥଙ୍କ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୦।୩(ପି.ଟି.): ମଧ୍ୟପ୍ରଦେଶ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଶୁକ୍ରବାର ଡାକି ଅପରାହ୍ନ ୫ଟା ସୁଦ୍ଧା ଆସ୍ଥାଭୋଟ କରାଇବା ଲାଗି ସୁପ୍ରିମକୋର୍ଟ ଗୁରୁବାର ବାଚସ୍ପତି ଏନ୍‌.ପି. ପ୍ରଜାପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ କମଲନାଥ ସରକାରଙ୍କୁ ଶକ୍ତ ଝଟକା ଲାଗିଛି। କଂଗ୍ରେସ ସରକାର ରହିବ କି ନାହିଁ ତାହା କେବଳ ଆସ୍ଥାଭୋଟ ଉପରେ ନିର୍ଭର କରୁଛି। ରାଜନୈତିକ ଅନିଶ୍ଚିତତା ଦୂର କରିବାକୁ ହେଲେ ତୁରନ୍ତ ଅଧିବେଶନ ଡାକି ଆସ୍ଥାଭୋଟର ସମ୍ମୁଖୀନ ହେବାକୁ ପଡ଼ିବ। ସଦସ୍ୟମାନେ ହାତ ଟେକି ସମର୍ଥନ ସମ୍ପର୍କରେ ସେମାନଙ୍କ ମତ ଜଣାଇବେ ବୋଲି ଜଷ୍ଟିସ୍‌ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ହେମନ୍ତ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଥିଲେ।
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ଶିବରାଜ ସିଂ ଚୌହାନ ଏବଂ ମଧ୍ୟପ୍ରଦେଶ କଂଗ୍ରେସ ଦଳ ପକ୍ଷରୁ ସୁପ୍ରିମକୋର୍ଟରେ ପିଟିଶନ ଦାଏର କରାଯାଇଥିଲା। ଦୁଇଦିନର ଶୁଣାଣିରେ ଅଦାଲତ ୮ଟି ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ସୂଚନାଯୋଗ୍ୟ ୨୦ ତାରିଖରେ ବିଧାନସଭା ଆରମ୍ଭ ହୋଇଥିଲେ ହେଁ ରାଜ୍ୟପାଳଙ୍କ ଅଭିଭାଷଣ ପରେ କରୋନା ସଂକ୍ରମଣ ଆଳ ଦେଖାଇ ବାଚସ୍ପତି ଗୃହକୁ ୨୬ ତାରିଖ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଆସ୍ଥା ଭୋଟ ପାଇଁ ରାଜ୍ୟପାଳ ଦୁଇଥର କହିବା ସତ୍ତ୍ୱେ ତାଙ୍କ କଥାକୁ ବାଚସ୍ପତି ରଖି ନ ଥିଲେ।

୧୬ ବିଧାୟକଙ୍କ ଇସ୍ତଫା ଗୃହୀତ

ଆସ୍ଥାଭୋଟ ପୂର୍ବରୁ ମଧ୍ୟପ୍ରଦେଶ ବିଧାନସଭା ବାଚସ୍ପତି ୧୬ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫାପତ୍ର ଗ୍ରହଣ କରିନେଇଛନ୍ତି। ପୂର୍ବରୁ ୬ ଜଣଙ୍କ ଇସ୍ତଫା ଗୃହୀତ ହୋଇଥିଲା। ୨୨ ଜଣଙ୍କ ଇସ୍ତଫା ପରେ ଏବେ ମଧ୍ୟପ୍ରଦେଶ ବିଧାନସଭାରେ ସଦସ୍ୟ ସଂଖ୍ୟା ୨୦୬କୁ ହ୍ରାସ ପାଇଛି। ଭାଜପା ପାଖରେ ୧୦୭ ବିଧାୟକଙ୍କ ସମର୍ଥନ ରହିଥିବାରୁ କମଲନାଥ ସରକାର ଆସ୍ଥା ଭୋଟରେ ହାରିବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି।

Share