ଆଜି ଐତିହାସିକ ବଳଦଯାତ୍ରା: ଦୁଲୁକୁଛି ଭୁବନ

ଭୁବନ, ୮।୧୦(ଡି.ଏନ.ଏ.)-ଐତିହାସିକ ବଳଦଯାତ୍ରାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଭୁବନ। ରଙ୍ଗବେରଙ୍ଗର ଆଲୋକମାଳା, ସୁଉଚ୍ଚ ତୋରଣ ସାଙ୍ଗକୁ ମେଢ ସାଜସଜ୍ଜା ଯାତ୍ରାକୁ କରିଦେଇଛି ଅଧିକ ଆକର୍ଷଣୀୟ। ବାଜାବାଣରେ ସହର ଦୁଲୁକୁଥିବାବେଳେ ବନ୍ଧୁବାନ୍ଧବଙ୍କ ଭିଡ଼ ସୃଷ୍ଟି କରିଛି ଉତ୍ସବମୁଖର ପରିବେଶ।
ଚଳିତ ବର୍ଷ ଭୁବନରେ ୧୧ଟି ମଣ୍ଡପରେ ମା’ ଦୁର୍ଗାଙ୍କ ଆବାହନ କରାଯାଉଛି। ଯାତ୍ରାର ପ୍ରମୁଖ ଆକର୍ଷଣ ବଳଦଙ୍କ ପାରମ୍ପରିକ ଅଳଙ୍କାର ଆଉ ବେଶ ପରିପାଟୀ। ଏଥର ଅନୁକୂଳ ଯାତ୍ରାରେ ସାମିଲ ହେବେ ୩୭ ବଳଦ। ଏପରି ନିଆରା ଯାତ୍ରା ଦେଖିବାକୁ ଜିଲା ତଥା ଜିଲା ବାହାରୁ ବହୁ ସଂଖ୍ୟାରେ ଜନସମାଗମ ହୋଇଛି। ସନ୍ଧ୍ୟାରେ ବଳଦଙ୍କ ଶୋଭାଯାତ୍ରା ବାହାରିବ। ଏଥିପାଇଁ ରୁଟ୍‌ ମ୍ୟାପ୍‌ ପ୍ରସ୍ତୁତ କରାଯାଇଛି। ଥୋରିଆ ସମ୍ପ୍ରଦାୟର ପକ୍ଷରୁ ଯାତ୍ରାର ଶୁଭାରମ୍ଭ କରାଯିବ। ପ୍ରଥମେ ଶୋଭାଯାତ୍ରା ଜଗନ୍ନାଥ ମନ୍ଦିରରେ ପହଞ୍ଚତ୍ବ। ଏଥିରେ ସମସ୍ତ ବଳଦ, ବଳଦିଆ, ଯାତ୍ରା କମିଟି ସଦସ୍ୟ ସାମିଲ ହେବେ। ବଡ଼ହାଟରେ ସମସ୍ତଙ୍କୁ ପୂଜାର୍ଚ୍ଚନା କରାଯିବ। ପରମ୍ପରା ଅନୁଯାୟୀ ଥୋରିଆ, ବଣିଆ ସମ୍ପ୍ରଦାୟ ପକ୍ଷରୁ ଲୁଣ ମାପ କରାଯିବା ପରେ ଯାତ୍ରା ସମ୍ପନ୍ନ ହେବ। ସେହିପରି ବୁଧବାର ଭସାଣି ଯାତ୍ରା ଅବସରରେ ସନ୍ଧ୍ୟା ୭ଟାରେ ପାଲାମଣ୍ଡପ ନିକଟରେ ରାବଣ ପୋଡ଼ି ମହୋତ୍ସବ ଅନୁଷ୍ଠିତ ହେବ। ବଳଦ କମିଟି କର୍ମକର୍ତ୍ତାମାନେ ନିଜ ନିଜ ସୁବିଧା ଅନୁଯାୟୀ, ଗୁଜୁରିହାଟ, ଗୋପାଳମଣ୍ଡପ, ଦୁର୍ଗାଛକ ଶୋଭାଯାତ୍ରାରେ ସାମିଲ ହେବେ। ନୂଆବଜାରରେ ମେଲଣ ହେବ। ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ବଣିଜାରିଙ୍କ ପାଖରେ ବନ୍ଦାପନା କରାଯାଇ ଯାତ୍ରା ସମ୍ପନ୍ନ କରାଯିବାକୁ ଶାନ୍ତି କମିଟି ପକ୍ଷରୁ ନିଷ୍ପତ୍ତି ହୋଇଛି। ଏସବୁ ଭିତରେ ସୁରକ୍ଷା ପାଲଟିଛି ପ୍ରମୁଖ ପ୍ରସଙ୍ଗ। ପୂଜା କମିଟି, ଯୁବକ ସଂଘର କର୍ମକର୍ତ୍ତାଙ୍କୁ ବିଭିନ୍ନ ଦାୟିତ୍ୱ ଦିଆଯାଇଛି। ଭସାଣି ଯାଏ ସମସ୍ତ ମଣ୍ଡପରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।