ଆଜି ଆସୁଛନ୍ତି ଉପରାଷ୍ଟ୍ରପତି: ସୁରକ୍ଷା ଦାୟିତ୍ୱରେ ୧୫ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର (ବ୍ୟୁରୋ)/ କଟକ ଅଫିସ,୬।୧୦: ଉପରାଷ୍ଟ୍ରପତି ଏମ୍‌. ଭେଙ୍କାୟା ନାଇଡ଼ୁ ରବିବାର ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି। ସେ ପୂର୍ବାହ୍ନ ୧୦ଟା ୧୫ରେ ଏକ ସ୍ବତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ୱରସ୍ଥ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଓହ୍ଲାଇବେ। ସେଠାରୁ ସେ ସିଧା କିଟ୍‌ ବିଶ୍ୱବିଦ୍ୟାଳୟକୁ ଯାଇ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାପରେ ରାଜଭବନକୁ ଯାଇ ମଧ୍ୟାହ୍ନଭୋଜନ କରିବେ। ଅପରାହ୍ନ ୩ଟାରେ ଉପରାଷ୍ଟ୍ରପତି କଟକ ଯାଇ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଭୁବନେଶ୍ୱର ବିମାନବନ୍ଦରକୁ ଯିବେ। ଅପରାହ୍ନ ପ୍ରାୟ ୪ଟାରେ ସେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ଉପରାଷ୍ଟ୍ରପତିଙ୍କୁ ବିମାନବନ୍ଦରରେ ରାଜ୍ୟପାଳ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ସ୍ବାଗତ କରିବେ। ଉପରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ଟୁଇନ ସିଟିରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ। ଏଥିସହ ୧୦୦ ଜଣ ଅଫିସର ନିୟୋଜିତ ହେବେ। ବିଶେଷକରି ବିମାନବନ୍ଦରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ଏଥିପାଇଁ ଶନିବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ କମିଶନରେଟ ପୋଲିସ ପକ୍ଷରୁ କାର୍‌କେଡ ରିହର୍ସଲ କରାଯାଇଛି। ଏଥିରେ ୭ଟି ଗାଡ଼ିି ସାମିଲ ହୋଇଥିଲା। ତନ୍ମଧ୍ୟରେ ଜାମର, ଆମ୍ବୁଲାନ୍ସ, ଡାକ୍ତରୀ ଦଳ, ଫାୟାର ଭ୍ୟାନ୍‌, ବୁଲେଟ ପ୍ରୁଫ୍‌ ଗାଡ଼ି ରହିଥିଲା। ବିମାନବନ୍ଦରରୁ କିଟ୍‌ ବିଶ୍ୱବିଦ୍ୟାଳୟ ଏବଂ ସେଠାରୁ ରାଜଭବନ ପର୍ଯ୍ୟନ୍ତ ଏହି ରହର୍ସଲ କରାଯାଇଥିଲା। ଏହାପରେ ରାଜଭବନରୁ କଟକର କାର୍ଯ୍ୟକ୍ରମସ୍ଥଳ ପର୍ଯ୍ୟନ୍ତ ରିହର୍ସଲ ହୋଇଥିଲା। ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ କଟକର ଶିଖରପୁରଠାରୁ ଇନ୍‌ଡୋର ଷ୍ଟାଡିୟମ ପର୍ଯ୍ୟନ୍ତ ରାସ୍ତାକୁ ସିଲ କରାଯିବା ସହ ଲୋକଙ୍କ ଯାତାୟତକୁ ବନ୍ଦ ରଖାଯିବ ବୋଲି ଡିସିପି ଅଖିଳେଶ ସିଂ କହିଛନ୍ତି।