ଆଜିର ଅର୍ଥନୀତି/ ଅର୍ଥନୀତିକୁ ଝଟକା

ମୋଟର ଯାନ ସଂଶୋଧନ ଅଧିନିୟମ, ୨୦୧୯ ଅନୁଯାୟୀ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ ଓ ଚଢ଼ା ଜରିମାନା ଆଦାୟ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଏହାଦ୍ୱାରା ନିୟମ ଖିଲାପକାରୀ ବାଟକୁ ଆସିବେ ଓ ସଡ଼କ ଦୁର୍ଘଟଣା ହ୍ରାସ ପାଇବ। ହେଲେ ଅର୍ଥନୈତିକ ଦୃଷ୍ଟିକୋଣରୁ ଏହାର ପ୍ରଭାବ କେତେକାଂଶରେ ଗାଡ଼ି କିଣାବିକାରେ ପଡ଼ିପାରେ, ଯାହାକି ବର୍ତ୍ତମାନର ମାନ୍ଦା ସମୟରେ ଅର୍ଥନୀତି ପାଇଁ ଏକ ଦୋହରା ଝଟକା ସଦୃଶ ହୋଇପାରେ। ଭାରତରେ ୧୧୯ ବିଲିୟନ ଡଲାରର ଅଟୋମୋବାଇଲ ଶିଳ୍ପ ପ୍ରତ୍ୟକ୍ଷ ବା ପରୋକ୍ଷରେ ୩୭ ନିୟୁତ ଲୋକଙ୍କୁ ଦାନାପାଣି ଯୋଗାଇଥାଏ ଏବଂ ଏହା ଦେଶର ଜିଡିପିକୁ ୭.୧ ପ୍ରତିଶତ ଓ ନିର୍ମାଣ ଶିଳ୍ପର ଜିଡିପିକୁ ୪୯ ପ୍ରତିଶତ ଯୋଗଦାନ ଦେଇଥାଏ। ବର୍ତ୍ତମାନ ଅଟୋମାବାଇଲ କ୍ଷେତ୍ରରେ ଦେଖାଯାଇଥିବା ଅବନତି ଯୋଗୁ ଦେଶର ଅର୍ଥନୈତିକ ମାନ୍ଦାବସ୍ଥା ଯଥେଷ୍ଟ ବୃଦ୍ଧି ପାଇଛି। ଗତ ଅଗଷ୍ଟ ମାସରେ ଗାଡ଼ି ବିକ୍ରି ୨୩.୫ ପ୍ରତିଶତ ହ୍ରାସ ପାଇଛି। ୧୯୯୭-୯୮ରେ ଭାରତର ଗାଡ଼ି ନିର୍ମାତା ସଂଘ (ଏସ୍‌ଆଇଏଏମ୍‌) ପ୍ରତିଷ୍ଠା ପରଠାରୁ କୌଣସି ବର୍ଷ ଗୋଟିଏ ମାସରେ ଏପରି ଅବସ୍ଥା କେବେ ଆସି ନ ଥିଲା। ୨୦୧୯ ଅଗଷ୍ଟ ମାସରେ ମୋଟ ୧୮,୨୧,୪୯୦ଟି ଗାଡ଼ି ବିକ୍ରି ହୋଇଥିବା ବେଳେ ଗତବର୍ଷ ଏହି ମାସରେ ୨୩,୮୨,୪୩୬ଟି ଗାଡ଼ି ବିକ୍ରି ହୋଇଥିଲା। ଗତ ମେ ମାସରେ ୨୦,୮୬,୩୫୮ଟି ଗାଡ଼ି ବିକ୍ରି ହୋଇଥିବା ବେଳେ ତାହା ପରଠାରୁ ପ୍ରତିମାସରେ ଗାଡ଼ି ବିକ୍ରି ସଂଖ୍ୟା ହ୍ରାସ ପାଇଚାଲିଛି। ୨୦୧୮ ଡିସେମ୍ବର ମାସରୁ ଗାଡ଼ି ବିକ୍ରିରେ କେବଳ ହ୍ରାସ ଘଟିଚାଲିଛି ଓ ସେଥିରେ କୌଣସି ଉନ୍ନତି ଆସିନାହିଁ। ଚଳିତ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା ଗାଡ଼ି ବିକ୍ରିରେ ୧୫.୯ ପ୍ରତିଶତ ହ୍ରାସ ପାଇ ମୋଟ ୯୭,୩୨,୦୪୦ଟି ଗାଡ଼ି ବିକ୍ରି ହୋଇଛି। ଯାତ୍ରୀବାହୀ ଗାଡ଼ି ବିକ୍ରି ୨୩.୫୪ ପ୍ରତିଶତ ହ୍ରାସ ପାଇ ୧୧,୦୯,୯୩୦ଟି ଗାଡ଼ି ବିକ୍ରି ହୋଇଥିବା ବେଳେ ବାଣିଜି୍ୟକ ବା ମାଲବାହୀ ଗାଡ଼ି ବିକ୍ରି ୧୯ ପ୍ରତିଶତ ହ୍ରାସ ପାଇ ୩,୧୭,୦୬୧ଟି ଗାଡ଼ି ବିକ୍ରି ହୋଇଛି ଏବଂ ଦୁଇଚକିଆ ଗାଡ଼ି ୧୫,୧୪,୧୯୬ଟି ବିକ୍ରି ହୋଇଛି, ଯାହା ପୂର୍ବ ବର୍ଷ ତୁଳନାରେ ୧୪.୮୫ ପ୍ରତିଶତ କମ୍‌। କମ୍ପାନୀଗୁଡ଼ିକର ଗୋଦାମରେ ବିଭିନ୍ନ ପ୍ରକାର ଗଚ୍ଛିତ ଗାଡ଼ି ସଂଖ୍ୟା ଯଥେଷ୍ଟ ଅଧିକ ରହିଥିବା ବେଳେ ଏନ୍‌ବିଏଫ୍‌ସି (ଅଣବ୍ୟାଙ୍କିଙ୍ଗ୍‌ ଆର୍ଥିକ କମ୍ପାନୀ)ରେ ଦେଖାଯାଇଥିବା ସଂକଟ, ବ୍ୟାଙ୍କଗୁଡ଼ିକ ପାଖରେ ଚଳନ୍ତି ପୁଞ୍ଜି କମ୍‌ ରହିବା, ସାମଗ୍ରିକ ଆର୍ଥିକ ମାନ୍ଦାବସ୍ଥା ଏବଂ ଖାଉଟିମାନଙ୍କ ନିମ୍ନ ମାନସିକତା ଯୋଗୁ ଗାଡ଼ି ବିକ୍ରି ଉପରେ ପ୍ରତିକୂଳ ପ୍ରଭାବ ପଡ଼ୁଛି। ବର୍ତ୍ତମାନ ଯେଉଁ ଧାରା ଦେଖିବାକୁ ମିଳୁଛି, ସେଥିରୁ ମନେହେଉଛି ଆଗକୁ ଆସୁଥିବା ପାର୍ବଣ ଋତୁରେ ଗାଡ଼ି ବିକ୍ରିରେ ବିଶେଷ ଉନ୍ନତି ହେବାର ସମ୍ଭାବନା ନାହିଁ।
ବର୍ତ୍ତମାନ ସଂଶୋଧିତ ମୋଟର ଯାନ ଆଇନକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯାଇ ବଡ଼ ଅଙ୍କର ଜରିମାନା ଆଦାୟ କରାଯାଉଥିବାରୁ ବହୁ ଲୋକ ହୁଏତ ବ୍ୟକ୍ତିଗତ ଗାଡ଼ି ଛାଡ଼ି ସର୍ବସାଧାରଣ ଯାନରେ ଯିବା ଆସିବା କରିବାକୁ ବାଧ୍ୟ ହେବେ। ଏହି ଆଇନକୁ କାର୍ଯ୍ୟକାରୀ କରୁଥିବା ସଂସ୍ଥାଗୁଡ଼ିକ ଏବେ ନିୟମ ଉଲ୍ଲଂଘନକାରୀଙ୍କଠାରୁ ୧୦୦୦ ଟଙ୍କାରୁ ଆରମ୍ଭ କରି ୪୭,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରୁଛନ୍ତି। ଦୁଇଦିନ ତଳେ ରାଜସ୍ଥାନର ଜଣେ ଟ୍ରକ୍‌ ଡ୍ରାଇଭର ଉପରେ ଦିଲ୍ଲୀରେ ୧ ଲକ୍ଷ ୪୧ ହଜାର ଟଙ୍କା ଜରିମାନା ଲଗାଯାଇଛି। ଅଧିକ ଓଜନର ମାଲ ପରିବହନ କରୁଥିବା ଅଭିଯୋଗରେ ତାଙ୍କୁ ଦିଲ୍ଲୀ ପରିବହନ ବିଭାଗ କର୍ମକର୍ତ୍ତାଙ୍କ ଦ୍ୱାରା ଧରାଯାଇଥିଲା। ନିୟମ ଉଲ୍ଲଂଘନକାରୀଙ୍କ ଉପରେ ଏପରି ମାତ୍ରାଧିକ ଜରିମାନା ଲଗାଗଲେ ତାହା ବ୍ୟକ୍ତିଗତ ଗାଡ଼ି ବ୍ୟବହାରକାରୀମାନଙ୍କୁ ଆବଶ୍ୟକ ସବୁ କାଗଜପତ୍ର ଠିକ୍‌ଠାକ୍‌ ନ ଥାଇ ରାସ୍ତାକୁ ଗାଡ଼ି ବାହାର କରିବାକୁ ଦୁଇଥର ଚିନ୍ତା କରିବାକୁ ବାଧ୍ୟ କରିବ। ବିଭିନ୍ନ କାଗଜପତ୍ର ଯୋଗାଡ଼ କରିବାର ଯେଉଁ ଜଟିଳ ପ୍ରକ୍ରିୟା ରହିଛି, ତାହା ଲୋକମାନଙ୍କୁ କାଗଜପତ୍ର ଯୋଗାଡ଼ କରି ନ ପାରି ମୋଟା ଅଙ୍କର ଜରିମାନା ଗଣିବା ଅପେକ୍ଷା ସର୍ବସାଧାରଣ ଯାନରେ ଯିବାକୁ ଉତ୍ସାହିତ କରିବ। କାଗଜପତ୍ର ଝମେଲା ଛଡ଼ା ନୂଆ ଆଇନ ଅନୁସାରେ କୌଣସି ଦମ୍ପତି ତାଙ୍କ ପିଲାକୁ ଦୁଇଚକିଆ ଯାନରେ ବସାଇ ନେଇପାରିବେ ନାହିଁ କାରଣ ଏହି ଆଇନ ଅନୁସାରେ ଦୁଇରୁ ଅଧିକ ଲୋକ ବାଇକ୍‌ରେ ଯାଇପାରିବେ ନାହିଁ। ଯଦି ନିଜ ପିଲାକୁ ସାଙ୍ଗରେ ନେଇପାରିବେ ନାହିଁ, ତା’ହେଲେ ଘରେ ଗୋଟିଏ ମୋଟରସାଇକେଲ ଥାଇ କି ଲାଭ ବୋଲି ଲୋକେ ଅନୁଭବ କରିବେ। ରାସ୍ତାରେ ଏବେ ଗାଡ଼ିର ଗହଳଚହଳ କମିବାର ଦେଖାଯାଉଛି ଓ ରାସ୍ତା ଫାଙ୍କା ଫାଙ୍କା ଲାଗୁଛି ଏବଂ ଏହି ଧାରା ଯଦି ଜାରି ରହେ ତେବେ ମୋଟରସାଇକେଲ ଓ ଚାରିଚକିଆ ଯାନର ଚାହିଦା ଆହୁରି କମିଯିବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ମଙ୍ଗଳବାର କହିଛନ୍ତି ଯେ, ଓଲା ଓ ଉବରର ପ୍ରଚଳନ ଯୋଗୁ ଗାଡ଼ି ବିକ୍ରି ହ୍ରାସ ପାଇଛି, ଯାହାଫଳରେ ଅଟୋମୋବାଇଲ ତଥା ସାଧାରଣ ଅର୍ଥନୀତି କ୍ଷେତ୍ରରେ ମାନ୍ଦାବସ୍ଥା ଦେଖାଦେଇଛି। ଏହା ଏକ ଅସ୍ଥାୟୀ ପର୍ଯ୍ୟାୟ ଏବଂ ଏହି ଅବସ୍ଥା ଦୁଇ ଚାରିମାସରୁ ଅଧିକ ରହିବ ନାହିଁ। ତେବେ ସେ ଯାହା ହେଉ ନା କାହିଁକି ସଂଶୋଧିତ ମୋଟର ଯାନ ଆଇନ ଅଟୋମୋବାଇଲ ଶିଳ୍ପକୁ ମାନ୍ଦାବସ୍ଥାରୁ ମୁକୁଳାଇବାରେ ବାଧା ଓ ବିଳମ୍ବ ସୃଷ୍ଟି କରିପାରେ, ଯାହା ଏହି କ୍ଷେତ୍ର ପାଇଁ ଏକ ଦୋହରା ଝଟକା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri