ଆଜିଠୁ ୭୫ ମିଟର ଉଚ୍ଛେଦ ଅଭିଯାନ

ପୁରୀ ଅଫିସ, ୨୭।୮: ଶ୍ରୀମନ୍ଦିରର ସୁରକ୍ଷା ପାଇଁ ତ୍ୟାଗ କର। ମୁଖ୍ୟମନ୍ତ୍ରୀଙ୍କ ଏହି ଆହ୍ବାନ ପରେ ମେଘନାଦ ପ୍ରାଚୀର ଚତୁଃପାର୍ଶ୍ୱର ୭୫ ମିଟର ପରିଧି ମଧ୍ୟରେ ଥିବା ନିର୍ମାଣ ଉଚ୍ଛେଦ ଅଭିଯାନ ମଙ୍ଗଳବାରଠାରୁ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ଲଙ୍ଗୁଳି ମଠ ଭଙ୍ଗାଯିବ। ଏହି ମଠ କୋଠାରେ ଦୋକାନ କରିଥିବା ବ୍ୟବସାୟୀମାନେ ସୋମବାର ସେମାନଙ୍କ ଜିନିଷପତ୍ର ଖାଲି କରିଦେଇଥିବା ବେଳେ ଉଚ୍ଛେଦ ଲାଗି ପ୍ରଶାସନ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯାଇଛି। ମଙ୍ଗଳବାର ସକାଳୁ ହେବାକୁ ଥିବା ଏହି ଉଚ୍ଛେଦ କାର୍ଯ୍ୟରେ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଜେସିବି ଓ ବ୍ରେକର ସହିତ ଟ୍ରାକ୍ଟର, ହାଇୱା
ଆଜିଠୁ ୭୫…
ନିୟୋଜିତ ହେବ। ସେହିପରି ୨୦ ପ୍ଲାଟୁନ ଫୋର୍ସ ସହ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହିବେ ବୋଲି ଜଣାପଡିଛି। ସୋମବାର ରାତି ପ୍ରାୟ ୧୧ଟାରେ ଜିଲାପାଳ ବଲଓ୍ବନ୍ତ ସିଂ, ଏସ୍‌ପି ଉମାଶଙ୍କର ଦାଶ ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଲଙ୍ଗୁଳି ମଠ ଅନୁଧ୍ୟାନ କରିଛନ୍ତି। ପ୍ରଶାସନ ପକ୍ଷରୁ ରାତିରେ ମଠକୁ ନୋଟିସ ଜାରି କରାଯାଇଥିଲେ ମଧ୍ୟ ମହନ୍ତ ନୋଟିସ ଗ୍ରହଣ ନ କରିବାରୁ ମଠ କାନ୍ଥରେ ନୋଟିସ ଲଟକ ଜାରି କରାଯାଇଛି। ସେହିପରି ସିଂହଦ୍ୱାର ଥାନାରୁ ମଧ୍ୟ ଆସବାବପତ୍ର ଖାଲି କରାଯାଉଥିବା ସୂଚନା ମିଳିଛି।
ମଙ୍ଗଳବାର ଲଙ୍ଗୁଳି ଓ ଏମାର ମଠ ଭଙ୍ଗାଯିବାକୁ ଥିବାରୁ ମଠ କୋଠାରେ ଦୋକାନ କରିଥିବା ବ୍ୟବସାୟୀଙ୍କୁ ରବିବାର ପ୍ରଶାସନ ପକ୍ଷରୁ ମୌଖିକ ଭାବେ ସୋମବାର ଅପରାହ୍ନ ଗୋଟାଏ ସୁଦ୍ଧା ଦୋକାନ ଖାଲି କରିବାକୁ କୁହାଯାଇଥିଲା। ସନ୍ଧ୍ୟା ସୁଦ୍ଧା ଲଙ୍ଗୁଳି ମଠ କୋଠାରେ ଥିବା ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଦୋକାନ ଘର ଖାଲି କରାଯାଇଥିବା ବେଳେ ଏମାର ମଠର ପ୍ରାୟ ୬ଟି ଦୋକାନରୁ ଜିନିଷପତ୍ର ଖାଲି କରି ନେଇଛନ୍ତି ବ୍ୟବସାୟୀମାନେ। ତେବେ ପ୍ରଶାସନର ଏପରି ନିଷ୍ପତ୍ତିକୁ କେତେକ ବ୍ୟବସାୟୀ ବିରୋଧ କରିଛନ୍ତି। ପ୍ରଶାସନ ଜୋର୍‌ଜବରଦସ୍ତ ସେମାନଙ୍କୁ ଭୟଭୀତ କରାଉଛି ଏବଂ ଦୋକାନ ଘର ଖାଲି କରିବାକୁ ସମୟ ଦେଉ ନ ଥିବା ଅଭିଯୋଗ କରି ଲଙ୍ଗୁଳି ମଠ କୋଠାରେ ଦୋକାନ କରିଥିବା ବ୍ୟବସାୟୀମାନେ ସିଂହଦ୍ୱାର ନିକଟରେ ବଡ଼ଦାଣ୍ଡରେ ଧାରଣା ଦେଇଥିଲେ। ଏ ସମ୍ପର୍କରେ ଜିଲାପାଳ ବଲୱନ୍ତ ସିଂ କହିଛନ୍ତି, ଶ୍ରୀମନ୍ଦିର ନିକଟସ୍ଥ ଲଙ୍ଗୁଳି ମଠର ଅସୁରକ୍ଷିତ କୋଠା ମଙ୍ଗଳବାର ଭଙ୍ଗାଯିବ। ଏହି କୋଠା ଅସୁରକ୍ଷିତ ଥିବା ନେଇ ବୈଷୟିକ କମିଟିର ରିପୋର୍ଟକୁ ଆଧାର କରି ପୌରପାଳିକା ଆଇନ ଅନୁଯାୟୀ କୋଠା ଭଙ୍ଗାଯିବ। ଏଥିପାଇଁ ମଠ ମହନ୍ତଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଏବଂ ସମ୍ପୃକ୍ତ ଅନ୍ତେବାସୀଙ୍କୁ ଥଇଥାନ କରାଯିବା ସହ ଉପଯୁକ୍ତ ସ୍ଥାନରେ ରହିବା ବ୍ୟବସ୍ଥା ମଧ୍ୟ ପ୍ରଶାସନ ପକ୍ଷରୁ କରାଯିବ। ଲଙ୍ଗୁଳି ମଠର ମୁଖ୍ୟ ମନ୍ଦିରରେ ପୂଜାର୍ଚ୍ଚନା ପୂର୍ବପରି ଚାଲୁ ରହିବ। ଏଥିଲାଗି ପ୍ରଶାସନ ପକ୍ଷରୁ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବ। ଏହି ମଠ କୋଠାରେ ଥିବା ଦୋକାନଗୁଡ଼ିକର ତାଲିକା ପାଇବା ପରେ ଅନୁଧ୍ୟାନ କରାଯାଇ ପ୍ରଭାବିତମାନଙ୍କୁ ମଠ ମାଧ୍ୟମରେ ଥଇଥାନ ଉପରେ ବିଶେଷ ଧ୍ୟାନ ଦିଆଯିବ ବୋଲି ଜିଲାପାଳ କହିଛନ୍ତି।