ଆଜିଠୁ ସମୁଦ୍ରମୁହାଁ ମାଛଧରା ଡଙ୍ଗା

ଭୋଗରାଇ, ୧୪।୬(ଡି.ଏନ.ଏ.)-୩ମାସ ଧରି ସରକାରୀ କଟକଣା ପରେ ସୋମବାରଠୁ ସମୁଦ୍ରମୁହାଁ ହୋଇଛି ସହସ୍ରାଧିକ ମାଛଧରା ଟ୍ରଲର। ଏଥିପାଇଁ ବାଲେଶ୍ୱର ଉପକୂଳ ଚଳଚଞ୍ଚଳ ହୋଇପଡିଛି। ଲକ୍‌ଡାଉନ୍‌ ସତ୍ତ୍ୱେ ଝଡ଼ବର୍ଷାକୁ ଖାତିର୍‌ ନ କରି ସୋମବାର ଶୁଭବେଳାରେ ବାହାରିଛନ୍ତି ମତ୍ସ୍ୟଜୀବୀମାନେ। ବେରୋଜଗାର ହୋଇପଡ଼ିଥିବା ହଜାର ହଜାର ମତ୍ସ୍ୟଜୀବୀଙ୍କ ପରିବାରରେ ଏବେ ଖୁସିର ମାହୋଲ। ଜୀବନକୁ ବାଜି ଲଗାଇ ମତ୍ସ୍ୟଜୀବୀମାନେ ଟ୍ରଲର, ଭୁଟଭୁଟି ଓ ଛୋଟ ଡଙ୍ଗାରେ ଗଙ୍ଗା ମା’ଙ୍କୁ ପୂଜାର୍ଚ୍ଚନା କରି ବାହାରିଛନ୍ତି ଗଭୀର ସମୁଦ୍ରକୁ। ଅନ୍ୟପଟେ ଅଶାନ୍ତ ସମୁଦ୍ର ଉତ୍ତାଳ ଢ଼େଉ ସାମୁଦ୍ରିକ ଝଡ଼କୁ ନେଇ ପରିବାର ଲୋକେ ଆତଙ୍କିତ ମଧ୍ୟରେ ରହିଛନ୍ତି।
ବର୍ଷାଋତୁ ଆଗମନ ହେତୁ ଜାଲରେ ପ୍ରଚୁର ପରିମାଣରେ ଲୁଣି ମାଛ ପଡିବାର ଆଶା ବାନ୍ଧିଛନ୍ତି ମତ୍ସ୍ୟଜୀବୀମାନେ। ବାଲେଶ୍ୱର ଉପକୂଳର ଉଦୟପୁର, ତାଳସାରୀ, ରଣସିଂପୁର, କୀର୍ତ୍ତନିଆ, ଚୌମୁଖ, ଡଗରା, କଷାଫଳ, ବଳରାମଗଡ଼ି ଆଦି ମାଛମରା କେନ୍ଦ୍ର(ଜେଟି)ରେ ମତ୍ସ୍ୟଜୀବୀ ସଜବାଜ ହେଉଥିବାରୁ ସମୁଦ୍ରକୂଳିଆ ଲୋକେ ଲୁଣିମାଛର ସ୍ବାଦ ଚାଖିବେ ବୋଲି ଅପେକ୍ଷା କରିଛନ୍ତି। ଅପରପକ୍ଷେ ଡଙ୍ଗା ମାଲିକମାନେ ମତ୍ସ୍ୟଜୀବୀଙ୍କୁ ଆଗୁଆ ଅର୍ଥ ଦେଇ ମତ୍ସ୍ୟଜୀବୀଙ୍କ ମନୋବଳ ବଢ଼ାଇଛନ୍ତି। ଚଳିତବର୍ଷ ମୌସୁମୀର ନିୟମିତତା ରହିଲେ ‘ଇଲିସି’ ବହୁଳ ଭବେ ଜାଲରେ ଧରାହେବ ବୋଲି ଟ୍ରଲର ଓ ଡଙ୍ଗା ମାଲିକମାନେ ଆଶା ରଖିଛନ୍ତି। ଲୁଣି ମାଛ ଧରାହେଲେ ବଜାରରେ ଚଢ଼ା ମୂଲ୍ୟରେ ବିକ୍ରି ହେଉଥିବା ମଧୁର ଜଳର ମାଛର ମୂଲ୍ୟ ହ୍ରାସ ହେବ ବୋଲି ଖାଉଟିମାନେ କହୁଛନ୍ତି।