ଆଜିଠୁ ସବୁ ଦଳର ପଦଯାତ୍ରା

ଭୁବନେଶ୍ୱର,୨-୯(ବ୍ୟୁରୋ): ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଉଭୟ ସରକାରୀ ଏବଂ ବେସରକାରୀସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ରାଜ୍ୟରେ କ୍ଷମତାସୀନ ବିଜେଡି, ମୁଖ୍ୟ ବିରୋଧୀ ଭାଜପା ଏବଂ କଂଗ୍ରେସ ପକ୍ଷରୁ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ପ୍ରତିବର୍ଷ ଭଳି ଚଳିତଥର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅକ୍ଟୋବର ୨(ବୁଧବାର)ରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି। ସ୍ଥାନୀୟ ଭୁବନେଶ୍ୱର (ଏକାମ୍ର) ବିଧାନସଭା ନିର୍ବାଚନମଣ୍ଡଳୀ ୬୨ ନଂ ୱାର୍ଡ ତଥା କାରଗିଲ ରୋଡ୍‌ ନିକଟସ୍ଥ ପଡିଆରୁ ପୂର୍ବାହ୍ନ ୧୧ଟା ୪୦ରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ। ଅନୁରୂପଭାବେ ଭାଜପା ପକ୍ଷରୁ ମଧ୍ୟ ଗାନ୍ଧୀ ସଂକଳ୍ପ ଯାତ୍ରା ଆରମ୍ଭ କରାଯାଉଛି। ରାଜ୍ୟର ସମସ୍ତ ସଂସଦୀୟ ଏବଂ ବିଧାନସଭା କ୍ଷେତ୍ରରେ ଏହା କରାଯିବ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟକ ଜିଲା ତେଲେଙ୍ଗାପେଣ୍ଠସ୍ଥିତ ଗାନ୍ଧୀ ସ୍ମୃତି ପୀଠରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ସେହିଭଳି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବୁଧବାର ପୂର୍ବାହ୍ନରେ ଜନତା ମଇଦାନରୁ କଂଗ୍ରେସ ଭବନ ଏକ ଶୋଭାଯାତ୍ରା ବାହାରିବ। ଏହାକୁ ପିସିସି ପ୍ରଭାରୀ ଜିତେନ୍ଦ୍ର ସିଂ ଉଦ୍‌ଘାଟନ କରିବେ। ସେହିପରି କଂଗ୍ରେସ ସେବାଦଳ ପକ୍ଷରୁ ବର୍ଷବ୍ୟାପୀ ବିଭିନ୍ନ ପଦଯାତ୍ରା କରାଯିବା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଗ୍ରହଣ କରାଯିବ।