ଆଜିଠୁ ଲକ୍‌ଡାଉନ୍‌ ୩

ନୂଆଦିଲ୍ଲୀ,୪ା୫(ପି.ଟି.): ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ସୋମବାର ଆରମ୍ଭ ହେଉଛି। ୧୭ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବାକୁ ଥିବା ଏହି ତାଲାବନ୍ଦ ବେଳେ କଟକଣାରେ ପର୍ଯ୍ୟାପ୍ତ କୋହଳ କରାଯାଇଛି। ତେବେ କୋଭିଡ୍‌-୧୯ ନିଷିଦ୍ଧାଞ୍ଚଳରେ ପୂର୍ବଭଳି କଟକଣା ବଳବତ୍ତର ରହିବ। ସଂକ୍ରମଣ ପରିମାଣକୁ ନେଇ ଦେଶକୁ ରେଡ୍‌, ଅରେଞ୍ଜ ଓ ଗ୍ରୀନ୍‌ ଜୋନ୍‌ରେ ବିଭକ୍ତ କରାଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ନିର୍ଦ୍ଦେଶନାମା ଅନୁଯାୟୀ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ ବେଳେ ସାରା ଦେଶରେ ବିମାନ, ଟ୍ରେନ୍‌, ମେଟ୍ରୋ ଓ ଆନ୍ତଃରାଜ୍ୟ ବସ୍‌ ଚଳାଚଳ ବନ୍ଦ ରହିବ। ସେହିପରି ସ୍କୁଲ୍‌, କଲେଜ, ଅନ୍ୟା ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର, ପ୍ରଶିକ୍ଷଣ କେନ୍ଦ୍ର, ହୋଟେଲ, ରେସ୍ତୋରାଁ ସମେତ ଆତିଥେୟତା ସେବା, ସିନେମା ହଲ, ମଲ୍‌, ଜିମ୍‌ନାସିୟମ, ସ୍ପୋଟର୍‌ସ କମ୍ପ୍ଲେକ୍ସ ବନ୍ଦ ରହିବ। ସାମାଜିକ, ରାଜନୈତିକ, ସାଂସ୍କୃତିକ ଓ ଅନ୍ୟାନ୍ୟ ସମାବେଶକୁ ନିଷିଦ୍ଧ କରାଯାଇଛି। ଧର୍ମସ୍ଥଳ ଓ ଉପାସନାସ୍ଥଳ ବନ୍ଦ ରହିବ। ସବୁ ଜୋନ୍‌ରେ ଅଣଅତ୍ୟାବଶ୍ୟକ କାର୍ଯ୍ୟରେ ଯାତାୟାତ ଲାଗି ଅନୁମତି ମିଳିଥିବାବେଳେ ରାତି ୭ରୁ ସକାଳ ୭ ପର୍ଯ୍ୟନ୍ତ ଏହାକୁ ନିଷିଦ୍ଧ କରାଯାଇଛି।
ଗ୍ରୀନ୍‌ ଓ ଅରେଞ୍ଜ ଜୋନ୍‌ରେ ସେଲୁନ୍‌, ବାରିକ ଦୋକାନ, ସ୍ପା ଖୋଲିବା ସହ ଇ-କମର୍ସ କମ୍ପାନୀ ଜରିଆରେ ଅଣଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ଲାଗି ଅନୁମତି ମିଳିଛି। ନିଷିଦ୍ଧାଞ୍ଚଳକୁ ଛାଡ଼ି ଅନ୍ୟ ଜୋନ୍‌ରେ ମଦ ବକ୍ରି ଲାଗି ନିର୍ଦ୍ଦିଷ୍ଟ ସର୍ତ୍ତରେ ଅନୁମତି ମିଳିଛି। ସେହିପରି କଣ୍ଟେନ୍‌ମେଣ୍ଟ ବ୍ୟତୀତ ଅନ୍ୟ ଜୋନ୍‌ରେ ଓପିଡି ଏବଂ ମେଡିକାଲ କ୍ଲିନିକ ସାମାଜିକ ଦୂରତ୍ୱ ରଖି ଖୋଲିବାକୁ କୁହାଯାଇଛି। ରେଡ୍‌ ଜୋନ୍‌ରେ ରିକ୍ସା, ଅଟୋରିକ୍ସା, ଟ୍ୟାକ୍ସିକୁ ବାରଣ କରାଯାଇଥିବାବେଳେ ଚାରିଚକିଆ ଯାନରେ ଡ୍ରାଇଭର ସହ ୨ ଜଣ ଏବଂ ଦୁଇଚକିଆ ଯାନରେ ଜଣେ ଯାଇପାରିବେ। ରେଡ୍‌ ଜୋନ୍‌ରେ ଇ-କମର୍ସ କମ୍ପାନୀ କେବଳ ଜରୁରୀ ସାମଗ୍ରୀ ବିକ୍ରି କରିପାରିବେ। ସେଲୁନ୍‌, ବାରିକ ଦୋକାନକୁ ଅନୁମତି ମିଳିନାହିଁ। ମଦ ଦୋକାନରେ ୬ ଫୁଟ ଦୂରତା ରଖିବା ଏବଂ ୫ ଜଣରୁ ଅଧିକ ଗ୍ରାହକ ଏକାଠି ନ ହେବାକୁ କୁହାଯାଇଛି।

Share