ଆଜିଠୁ ମାଟ୍ରିକ ଖାତା ମୂଲ୍ୟାୟନ

କଟକ ଅଫିସ,୧୯।୩ : ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ଦ୍ୱାରା ଆୟୋଜିତ ଦଶମ ଶ୍ରେଣୀ ପରୀକ୍ଷା ଖାତା ମୂଲ୍ୟାୟନ ଗୁରୁବାରଠାରୁ ଆରମ୍ଭ ହେବ। ୬୧ଟି କେନ୍ଦ୍ରରେ ପ୍ରାୟ ୧୬ହଜାର ପରୀକ୍ଷକ ନିୟୋଜିତ ହୋଇଛନ୍ତି। ଖାତା ମୂଲ୍ୟାୟନ ପାଇଁ ସମସ୍ତ କେନ୍ଦ୍ରଗୁଡ଼ିକରେ ବୁଧବାର ସନ୍ଧ୍ୟା ସୁଦ୍ଧା ପରୀକ୍ଷକମାନେ ପହଞ୍ଚତ୍ ସାରିଛନ୍ତି। ଏଥର କରୋନା ଆଶଙ୍କା ଯୋଗୁ ସ୍ବାସ୍ଥ୍ୟ ବିଭାଗର ଗାଇଡ ଲାଇନ ଅନୁଯାୟୀ ମୂଲ୍ୟାୟନ କେନ୍ଦ୍ରଗୁଡ଼ିକରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ବୋଲି ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ରାମାଶିଷ ହାଜରା କହିଛନ୍ତି। ସ୍ବାସ୍ଥ୍ୟ ବିଭାଗ ଗାଇଡ୍‌ଲାଇନ ଅନୁଯାୟୀ ପ୍ରତ୍ୟେକ ପରୀକ୍ଷକଙ୍କ ମଧ୍ୟରେ ଏକ ମିଟରର ଦୂରତା ରଖାଯିବ। ଖାତା ମୂଲ୍ୟାୟନ ପୂର୍ବରୁ ଡିସ୍‌ଇନ୍‌ଫେକ୍ଟାଣ୍ଟରେ ସମସ୍ତ ଚେୟାର ଟେବୁଲ ପୋଛାଯିବ। ଏହାବ୍ୟତୀତ କେନ୍ଦ୍ରର ପର୍ଯ୍ୟାପ୍ତ ସାନିଟାଇଜର ଓ ସାବୁନ ମହଜୁଦ ରଖାଯିବ। ଭିଡ଼ ନିୟନ୍ତ୍ରଣ ପାଇଁ ପରୀକ୍ଷକଙ୍କୁ ୩ଟି ଗ୍ରୁପରେ ବିଭକ୍ତ କରାଯାଇ ପୃଥକ ଭାବେ ୩ପର୍ଯ୍ୟାୟରେ କେନ୍ଦ୍ରକୁ ପ୍ରବେଶ ଓ ପ୍ରସ୍ଥାନ କରିବେ। ପ୍ରଥମ ଗ୍ରୁପ ପୂର୍ବାହ୍ନ ୮ଟା୩୦ରେ ପ୍ରବେଶ କରି ଅପରାହ୍ନ ୨ଟା୩୦ରେ ବାହାରିବେ। ସେହିପରି ଦ୍ୱିତୀୟ ଗ୍ରୁପ ପୂର୍ବାହ୍ନ ୯ଟା୩୦ରେ ପ୍ରବେଶ କରି ଅପରାହ୍ନ ୩ଟା୩୦ ବାହାରିବେ ଓ ତୃତୀୟ ଗ୍ରୁପ ୧୦ଟା୩୦ରେ ପହଞ୍ଚତ୍ ଅପରାହ୍ନ ୪ଟା୩୦ରେ ବାହାରିବେ। ଏ ସବୁ ବ୍ୟବସ୍ଥା ବ୍ୟତୀତ ଯଦି କେହି ଅସୁସ୍ଥ ଅନୁଭବ କରିବେ ତାଙ୍କୁ ତୁରନ୍ତ ସ୍ବାସ୍ଥ୍ୟ କେନ୍ଦ୍ର ପହଞ୍ଚାଇ ଚିକିତ୍ସା କରା ଯିବ। ଏଥର ୫ଲକ୍ଷ ୬୦ହଜାର ୯୦୫ଜଣ ପରୀକ୍ଷା ଦେଇଛନ୍ତି।