ଆଜିଠୁ ପୂଜା ପାଇବେ ପଟିଦିଅଁ

ଖୋର୍ଦ୍ଧା ଅଫିସ,୬ା୬: ଖୋର୍ଦ୍ଧା ଉପକଣ୍ଠ ଜାଗୁଲାଇପାଟଣାସ୍ଥିତ ଶ୍ରୀ ଅନନ୍ତ ପୁରୁଷୋତ୍ତମଙ୍କ ମନ୍ଦିରରେ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ଭୋର ୪ଟାରେ ଦ୍ୱାରଫିଟା, ୫ଟାରେ ମଙ୍ଗଳ ଆଳତି, ପରେ ୭ଟାରେ ଠାକୁରଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ସକାଳ ୯ଟାରୁ ୯ଟା ୩୦ ପର୍ଯ୍ୟନ୍ତ ମନ୍ଦିର ପରିସରରେ ରହିଥିବା କାରୁଣ୍ୟ କୁଣ୍ଡରୁ ଆସିଥିବା ୧୦୮ଗରା ସୁବାସିତ ଜଳରେ ପୂର୍ଣ୍ଣ ବିଗ୍ରହ (ହାତଗୋଡ ଥିବା ପୂର୍ଣ୍ଣ ପ୍ରତିମୂର୍ତ୍ତିି) ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ଏବଂ ଶ୍ରୀ ସୁଦର୍ଶନଙ୍କୁ ସ୍ନାନ କରାଯାଇଥିଲା। କୋଭିଡ୍‌-୧୯ ଗାଇଡ୍‌ଲାଇନ ଅନୁଯାୟୀ ପ୍ରାୟ ୧୦ରୁ ୧୫ଜଣ ସେବକଙ୍କ ଉପସ୍ଥିତିରେ ଏହି ନୀତି ସମ୍ପନ୍ନ ହୋଇଥିଲା। ମଧ୍ୟାହ୍ନରେ ଠାକୁରଙ୍କ ପହଣ୍ଡି ହୋଇ ଅଣସର ପିଣ୍ଡିରେ ବିଜେ କରିଥିଲେ। ପବିତ୍ର ସ୍ନାନଯାତ୍ରା ବିନା ଭକ୍ତରେ ସମ୍ପନ୍ନ ହୋଇଥିଲା। ତିନି ଠାକୁର ପୂର୍ଣ୍ଣ ବିଗ୍ରହ ହୋଇଥିବାରୁ ଏଠାରେ ମହାପ୍ରଭୁଙ୍କ ଗଜାନନ ବେଶ ଅନୁଷ୍ଠିତ ହୋଇ ନ ଥିଲା। ଶନିବାରଠାରୁ ମହାପ୍ରଭୁଙ୍କ ପ୍ରତିନିଧି ସ୍ବରୂପ ପଟିଦିଅଁ ପୂଜା ପାଇବେ। ଶ୍ରୀଅନନ୍ତ ପୁରୁଷୋତ୍ତମ ଦେବଙ୍କ ପୂଜକ କମଳକାନ୍ତ ଦାସ ମହାରାଜ କୁହନ୍ତି, ୧୫ଦିନ ଧରି ମହାପ୍ରଭୁଙ୍କ ଗୁପ୍ତନୀତି ହେବ। ପଞ୍ଚମ ଦିନରେ ଓଷୁଓ ଲାଗି, ୧୦ଦିନରେ ଦଶମୂଳ ପାଚନ, ଏକାଦଶୀ ଖଳିଲାଗି, ବନକ ଲାଗି ପରେ ନେତ୍ରୋତ୍ସବ ଏବଂ ଜୁନ ୨୩ରେ ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା ଅନୁଷ୍ଠିତ ହେବ। ଶନିବାରଠାରୁ ମହାପ୍ରଭୁଙ୍କ ରଥକାମ ଆରମ୍ଭ ହେବ। ରଥଯାତ୍ରା ହେବ କି ନାହିଁ ତାହା ପ୍ରଶାସନ ଉପରେ ନିର୍ଭର କରେ। ଅନୁମତି ଆସିଲେ, କୋଭିଡ୍‌-୧୯ ଗାଇଡ୍‌ଲାଇନକୁ ବଜାୟ ରଖି ରଥଯାତ୍ରା କରାଯିବ।