Categories: ଖେଳ

ଆଜିଠାରୁ ପ୍ଲେଅଫ୍‌

ପୁଣେ,୨ା୯(ପି.ଟି):ସ୍ବଦେଶୀ ଖେଳ ଖୋ ଖୋକୁ ଏକ ପରିବର୍ତ୍ତିତ ରୂପରେ ପେସ୍‌ କରାଯାଇଥିବା ବେଳେ ଅନ୍ତିମ ଚରଣରେ ପହଞ୍ଚିଛି ପ୍ରଥମ ସଂସ୍କରଣର ଟୁର୍ନାମେଣ୍ଟ। ଆସନ୍ତା ଶୁକ୍ରବାରଠାରୁ ପ୍ଲେ ଅଫ୍‌ ଆରମ୍ଭ ହେଉଥିବା ବେଳେ ୨ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି। ଓଡ଼ିଶା ଜଗରନଟ୍ସ, ଗୁଜରାଟ ଜାଏଣ୍ଟ୍ସ, ତେଲୁଗୁ ଯୋଦ୍ଧାସ ଓ ଚେନ୍ନାଇ କ୍ୱିକ୍‌ ଗନ୍ସ ପ୍ଲେ ଅପ୍‌ରେ ପ୍ରବେଶ କରିଛି। ୬ଟି ଦଳକୁ ନେଇ ଏହି ଟୁର୍ନାମେଣ୍ଟଟି ଆରମ୍ଭ କରାଯାଇଥିଲା। ପଏଣ୍ଟ ଟେବଲ ପ୍ରଥମ ଦୁଇ ସ୍ଥାନରେ ରହିବା ସହିତ ଗୁଜରାଟ ଜାଏଣ୍ଟ୍ସ ଓ ଓଡ଼ିଶା ଜଗରନଟ୍ସ କ୍ୱାଲିଫାଏ କରିଥିଲେ। ସମୁଦାୟ ୨ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିବା ବେଳେ ଚାମ୍ପିୟନ ଦଳକୁ ମିଳିବ ୧ କୋଟି ଟଙ୍କାର ପୁରସ୍କାର । ଏହା ସହିତ ରନର୍ସ ଅପ୍‌ ଦଳକୁ ୫୦ ଲକ୍ଷ ଟଙ୍କା ଓ ତୃତୀୟ ସ୍ଥାନରେ ରହିଥିବା ଦଳକୁ ୩୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ସେହିପରି ଅନ୍ୟାନ୍ୟ ପୁରସ୍କାର ଭାବେ ୨୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ।
ପ୍ରଥମ ଦୁଇ ସ୍ଥାନରେ ଲିଗ୍‌ ପର୍ଯ୍ୟାୟ ଶେଷ କରିଥିବା ଗୁଜରାଟ ଜାଏଣ୍ଟ୍ସ ଓ ଓଡ଼ିଶା ଜଗରନଟ୍ସ ଶୁକ୍ରବାର ପ୍ରଥମ ପ୍ଲେ ଅଫ୍‌ରେ ସାମ୍ନାସାମ୍ନି ହେବେ। ଏହି ମ୍ୟାଚରେ ବିଜୟୀ ଦଳ ଫାଇନାଲରେ ପ୍ରବେଶ କରିବ ଅନ୍ୟ ଦଳଟି ଏଲିମିନେଟରର ବିଜେତାକୁ ଭେଟିବ। ଉଭୟ ଗୁଜରାଟ ଓ ଓଡ଼ିଶା ନିକଟରେ ଫାଇନାଲ ପ୍ରବେଶର ସୁଯୋଗ ରହିବ। ଓ୍ବିଜର୍ସ ଅଭିନନ୍ଦନ ପାଟିଲ(୭୩) ଓ ଶୁଭାଶିଷ ସନ୍ତ୍ରା(୪୯) ଯଥକ୍ରମେ ଆଟାକିଂ ପଏଣ୍ଟ ସ୍କୋର କରିଛନ୍ତି। ଚେନ୍ନାଇ କ୍ୱିକ୍‌ ଗନ୍ସ ୫ ଓ ତେଲୁଗୁ ଯୋଦ୍ଧା ୬ଟି ବିଜୟ ସହିତ କ୍ୱାଲିଫାଏ କରିଛନ୍ତି। ତେବେ ଉଭୟ ଦଳର କିଛି ଖେଳାଳିଙ୍କ ଉପରେ ସଭିଙ୍କ ନଜର ରହିବ। ଚେନ୍ନାଇର ଅଲରାଉଣ୍ଡର ରାମଜୀ କଶ୍ୟପ ଲିଗର ଟପ୍‌ ଡିଫେଣ୍ଡର ଭାବରେ ୧୯.୪୯ ମିନିଟ ଡିଫେଣ୍ଡ କରିଛନ୍ତି। ଏହା ସହିତ ସେ ଆଟାକରେ ୧୦୩ ପଏଣ୍ଟ ସଂଗ୍ରହ କରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେହିପରି ତେଲୁଗୁ ଯୋଦ୍ଧାର ଅରୁଣ ଗୁଙ୍କି ପ୍ରତି ମ୍ୟାଚ ପିଛା ୭.୭୮ ପଏଣ୍ଟ ସ୍କୋର କରିବାର ରେକର୍ଡ ନିଜ ନାମରେ ରଖିଛନ୍ତି। ରବିବାର ଫାଇନାଲ ମ୍ୟାଚ ଖେଳାଯିବ।

Share