ଆଚାର୍ଯ୍ୟ ହରିହର କ୍ୟାନ୍‌ସର ହସ୍ପିଟାଲରୁ ୧୫ କର୍ମଚାରୀ ବହିଷ୍କୃତ

କଟକ ଅଫିସ,୨୫ା୧୧: କଟକ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନରୁ ୧୫ କର୍ମଚାରୀଙ୍କୁ ମଙ୍ଗଳବାର ବହିଷ୍କୃତ କରାଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଚିଠିନଂ.୪୪୫୮/୨୩ା୧୧ା୨୦ରେ ବିନା ଅନୁମୋଦନରେ କାମ କରୁଥିବା ୧୫ କର୍ମଚାରୀଙ୍କୁ ବହିଷ୍କାର କରାଯାଉ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା। ତଦନୁଯାୟୀ ଅନୁଷ୍ଠାନର ଫାର୍ମାସିଷ୍ଟ, କିରାଣି, ଟାଇପିଷ୍ଟ, ଝାଡୁଦାର ଓ ପିଅନ ଆଦି ପଦବୀରେ ଥିବା ୧୫ ଜଣଙ୍କୁ ନୋଟିସ ଦେଇ ମଙ୍ଗଳବାରଠାରୁ ବହିଷ୍କାର କରାଯାଇଛି। ଏହି କର୍ମଚାରୀମାନେ ୨୦ ବର୍ଷରୁ ଅଧିକ ସମୟ ହେବ ଏଠାରେ କାମ କରୁଥିଲେ।
ବହିଷ୍କୃତ କେତେଜଣ କର୍ମଚାରୀ କହିଛନ୍ତି, ୧୯୯୮ରେ ଆଚାର୍ଯ୍ୟ ହରିହରରେ ପାଲିଏଟିଭ ଏବଂ ଯନ୍ତ୍ରଣା ପରିଚାଳନା ନିମନ୍ତେ ସ୍ବତନ୍ତ୍ର ଭାବେ ଏକ ପ୍ରକଳ୍ପ ପାଇଁ ଏମାନଙ୍କୁ ରଖାଯାଇଥିଲା ା ସେତେବେଳେ ପାଲିଏଟିଭ ଓ ପେନ୍‌ ମ୍ୟାନେଜମଣ୍ଟ ଆଚାର୍ଯ୍ୟ ହରିହର କ୍ୟାନ୍‌ସର ହସ୍ପିଟାଲଠାରୁ ଏକ ଭିନ୍ନ ଅଂଶ ଭାବେ କାର୍ଯ୍ୟ କରୁଥିଲା। ୨୦୦୦ରେ ୟୁଜର୍ସ ଫି’ରୁ ଏମାନଙ୍କୁ ଦରମା ଦିଆଯାଉଥିଲା। ୨୦୧୦ରେ ତତ୍କାଳୀନ ନିର୍ଦ୍ଦେଶକ ଡା. ଶୁକଦେବ ସ୍ବାଇଁ ଏମାନଙ୍କୁ ରେଗୁଲାର କରାଇବା ପ୍ରତିଶ୍ରୁତି ଦେବା ସହ କେତେଜଣ କର୍ମଚାରୀଙ୍କ ବିଭାଗ ପରିବର୍ତ୍ତନ କରିଥିଲେ ା ୨୦୧୪ରେ ନିର୍ଦ୍ଦେଶକ ଡା. ଲଲାଟେନ୍ଦୁ ଷଡଙ୍ଗୀ ଦାୟିତ୍ୱ ନେବାପରେ ୨୦୧୫ରେ ପାଲିଏଟିଭ ଓ ପେନ୍‌ ମ୍ୟାନେଜମଣ୍ଟକୁ ଆଚାର୍ଯ୍ୟ ହରିହର ସହ ସାମିଲ କରିଥିଲେ ା ସେବେଠାରୁ ଏମାନେ ଠିକା କର୍ମଚାରୀର ମାନ୍ୟତା ପାଇ କାମକରି ଆସୁଥିଲେ। ୨୦୧୮ରେ ବିଭିନ୍ନ ପଦବୀରେ ଥିବା ଲୋକଙ୍କୁ ନିୟମିତ କରିବାକୁ ହାଇକୋର୍ଟରେ ମଧ୍ୟ ଆବେଦନ କରାଯାଇଛି ବୋଲି କହିଛନ୍ତି। ସେମାନେ ଆହୁରି କହିଛନ୍ତି, ଆମେ କରୋନା ରୋଗୀଙ୍କ ସେବା କରି ଆକ୍ରାନ୍ତ ହୋଇଥିଲୁ। ଆମମାନଙ୍କ ମଧ୍ୟରୁ କେତେଜଣ ଗୁରୁତର ହୋଇ ଆଇସିୟୁରେ ରହି ଚିକିତ୍ସିତ ହେବା ପରେ ସୁସ୍ଥ ହୋଇଛୁ ା ଏବେ ସରକାର ଏହି କରୋନା ସମୟରେ ଚାକିରିରୁ ବହିଷ୍କାର କରୁଛନ୍ତି। ଏମିତି କି ଆମମାନଙ୍କ ମଧ୍ୟରୁ କେତେଜଣ ଅବସର ନେବାର ବୟସ ପାଖାପାଖି ହୋଇ ସାରିଛି। ତେଣୁ ଏହି ସମୟରେ ଚାକିରି ହରାଇବା ଆମକୁ ବ୍ୟଥିତ କରିଛି ା
ଏ ସମ୍ପର୍କରେ ଅନୁଷ୍ଠାନର ନିର୍ଦ୍ଦେଶକ ଓ ପ୍ରଶାସନିକ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିନାହିଁ ା