Categories: ଜାତୀୟ

ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ଓ୍ବେରେ ଦୁର୍ଘଟଣା: ୧୪ ମୃତ, ୨୫ ଆହତ

ଫିରୋଜାବାଦ,୧୪।୨(ପି.ଟି.):ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ଓ୍ବେରେ ଏକ ବସ୍‌ ରାସ୍ତା ପାର୍ଶ୍ୱରେ ଛିଡ଼ାହୋଇଥିବା ଏକ ଟ୍ରକ୍‌କୁ ଧକ୍କା ଦେବାରୁ ୧୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୨୫ ଜଣ ଆହତ ହୋଇଛନ୍ତି। ବୁଧବାର ରାତିରେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡବଲ ଡେକର ବସ୍‌ଟି ଦିଲ୍ଲୀରୁ ବିହାରର ମୋତିହାରି ଯାଉଥିଲା। ଏଥିରେ ପାଖାପାଖି ୫୦ ଯାତ୍ରୀ ଥିଲେ ଓ ସମସ୍ତେ ବିହାରର ବୋଲି ଜଣାପଡିଛି। ନଗଲା ଖାନଗର ଥାନା ଅଞ୍ଚଳରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବୋଲି ଏସ୍‌ପି ରାଜେଶ କୁମାର କହିଛନ୍ତି। ଟ୍ରକ୍‌ ହେଲ୍‌ପର ମଧ୍ୟ ଆହତ ହୋଇଛନ୍ତି। ସେ ରାସ୍ତା ପାର୍ଶ୍ୱରେ ଟ୍ରକ୍‌ ରଖି ପଙ୍କ୍‌ଚର ହୋଇଥିବା ଚକାକୁ ଖୋଲୁଥିବାବେଳେ ଦ୍ରୁତଗାମୀ ବସ୍‌ ଧକ୍କା ଦେଇଥିଲା ବୋଲି କହିଛନ୍ତି। ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇଦେବା ଲାଗି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜିଲା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୃତକମାନଙ୍କ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Share