ଆଗ୍ରାର ଜେଲ ନୂଆ ହଟସ୍ପଟ: ମୃତ କଏଦୀଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ୧୦ କଏଦୀ କରୋନା ସଂକ୍ରମିତ

ଆଗ୍ରା,୧୩।୫: ରାଜସ୍ତାନ ଆଗ୍ରା ଜିଲାର ଏକ ଜେଲ୍‌ ଏବେ କରୋନା ଭାଇରସ୍‌ର ନୂଆ ହଟସ୍ପଟ ପାଲଟିଛି। ଆଗ୍ରାରେ ଥିବା ସେଣ୍ଟ୍ରାଲ୍‌ ଜେଲରେ ୧୦ ଜଣ କଏଦୀ କରୋନା ପଜିଟିଭ୍‌ ହୋଇଥିବା ଜଣାପଡ଼ିଛି। ଏହି ଖବର ପ୍ରଚାରିତ ହେବା ପରେ ସେଠାରେ ଆତଙ୍କ ଖେଳିଯାଇଛି। ମଙ୍ଗଳବାର କଏଦୀଙ୍କ ଦ୍ୱିତୀୟ ରିପୋର୍ଟରେ ୧୦ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ଏହାପରେ ୧୦୦ଜଣ କଏଦୀଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। ଇତିମଧ୍ୟରେ ଜେଲ ପ୍ରଶାସନ ଡିଜିଙ୍କୁ ଏକ ଚିଠିରେ କରୋନା ସଂକ୍ରମିତଙ୍କ ତଥ୍ୟ ପ୍ରଦାନ କରିଛନ୍ତି। ଏଥିସହ କରୋନା ପଜିଟିଭ୍‌ଙ୍କ ଅଲଗା ରହିବା ବ୍ୟବସ୍ଥା କରିବାକୁ ଜେଲ ପ୍ରଶାସନ ପକ୍ଷରୁ ଦାବି କରାଯାଇଛି। ସୂଚନାଯୋଗ୍ୟ, ମେ ୩ରେ ଉକ୍ତ ଜେଲର ଜଣେ କଏଦୀଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ୍‌ ହୋଇଥିଲା। ଚିକିତ୍ସା ପାଇଁ ତାଙ୍କୁ ସରୋଜିନି ମେଡିକାଲ କଲେଜରେ ଭର୍ତ୍ତି କରାଯିବା ସହ କରୋନା ଯାଞ୍ଚ କରାଯାଇଥିଲା। ମେ ୬ରେ ଆସିଥିବା ତାଙ୍କ ରିପୋର୍ଟରେ କରୋନା ପଜିଟିଭ୍‌ ବାହାରିଥିବା ବେଳେ ମେ ୯ରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ମୃତ କଏଦୀଙ୍କ ସଂସ୍ପର୍ଶରେ ଆସିଥିବା ୧୪ଜଣ କଏଦୀ ଓ ୧୩ଜଣ ସୁରକ୍ଷାକର୍ମୀଙ୍କ ନମୁନା ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ୧୦ଜଣ କଏଦୀଙ୍କ ରିପୋର୍ଟ କରୋନା ପଜିଟିଭ୍‌ ବାହାରିଥିବା ବେଳେ ୩ଜଣ ଜେଲ କର୍ମଚାରୀଙ୍କ ଏଯାଏଁ ରିପୋର୍ଟ ଆସିନାହିଁ।

Share