ଆଗରପଡ଼ା ବିଦ୍ୟୁତ୍‌ ଉପକେନ୍ଦ୍ର ପରିଦର୍ଶନ କଲା ବିଧାନସଭା ଷ୍ଟାଣ୍ଡିଂ କମିଟି

ବନ୍ତ,୨୮।୧୨(ସ୍ବ.ପ୍ର.)- ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡ଼ାଠାରେ ନିର୍ମାଣାଧୀନ ଥିବା ୧୩୨/୩୩ କେଭି ବିଦ୍ୟୁତ୍‌ ଉପକେନ୍ଦ୍ରକୁ ଶନିବାର ବିଧାନସଭା ଷ୍ଟାଣ୍ଡିଂ କମିଟି ପରିଦର୍ଶନ କରିଛି। ଷ୍ଟାଣ୍ଡିଂ କମିଟିର ଏହି ଟିମ୍‌ ବିଦ୍ୟୁତ୍‌ ଉପକେନ୍ଦ୍ରରେ ପହଞ୍ଚି କାର୍ଯ୍ୟର ସମୀକ୍ଷା କରିବା ସହିତ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ୨୨କୋଟି ଟଙ୍କାର ଉକ୍ତ ପ୍ରକଳ୍ପ କାର୍ଯ୍ୟ ୨୦୧୬ରୁ ଆରମ୍ଭ ହୋଇଥିବାବେଳେ ନିର୍ମାଣ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗୋଟିଏ ସବଗ୍ରୀଡ୍‌କୁ ଚାର୍ଜ ସରିଥିବାବେଳେ ବାକି ୩ଟିକୁ ଆସନ୍ତା ଜାନୁୟାରୀ ଶେଷ ସୁଦ୍ଧା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ଚାର୍ଜ ଦିଆଯିବ ବୋଲି ବିଭାଗୀୟ ଅଧିକାରୀମାନେ ଷ୍ଟାଣ୍ଡିଂ କମିଟି ଆଗରେ ପ୍ରକାଶ କରିଥିଲେ। ଏହି ଉପକେନ୍ଦ୍ର କାର୍ଯ୍ୟକ୍ଷମ ହେଲେ ସମ୍ପୃକ୍ତ ଅଞ୍ଚଳର ଲୋଭୋଲଟେଜ ଓ ବିଦ୍ୟୁତ୍‌ କାଟ୍‌ ସମସ୍ୟା ଦୂର ହୋଇପାରିବ ବୋଲି କୁହାଯାଇଛି। ନେସ୍କୋର ଏସ୍‌ଇ ସୁରେଶ ସାହୁ, ନିର୍ବାହୀ ଯନ୍ତ୍ରୀ ରଶ୍ମିରଞ୍ଜନ ବେହେରା, ସିନିୟର ଜିଏମ୍‌ ସୁଦର୍ଶନ ସାହୁ, କନିଷ୍ଠ ଯନ୍ତ୍ରୀ ମନୋରଞ୍ଜନ ସାହୁ, ଜିଲାପରିଷଦ ପ୍ରଶାନ୍ତ କୁମାର ଦାଶ, ଏମ୍‌ପିଙ୍କ ପ୍ରତିନିଧି ଶ୍ରୀନାଥ ମହାନ୍ତି, ସମିତିସଭ୍ୟ ଦିଲୀପ ପୁହାଣଙ୍କ ସମେତ ସ୍ଥାନୀୟ ନେତୃମଣ୍ଡଳୀ ଉପସ୍ଥିତ ରହି ଆଲୋଚନା କରିଥିଲେ।