ଆଗନ୍ତୁକଙ୍କ ଉପରେ କଡ଼ା ନଜର

କୋମାକ୍ଷାନଗର, ୬।୪(ଡି.ଏନ୍‌.ଏ.)-କରୋନା ସଂକ୍ରମଣ ରୋକିବାକୁ ସତର୍କ ହୋଇଉଠିଛି କାମାକ୍ଷାନଗର ଉପଖଣ୍ଡ ପ୍ରଶାସନ। ସହରାଞ୍ଚଳକୁ ଆସୁଥିବା ଆଗନ୍ତୁକଙ୍କ ଉପରେ କଡ଼ା ନଜର ରଖାଯିବା ସହ ସାମାଜିକ ଦୂରତା ଅବଲମ୍ବନ କରିବାକୁ ଗୁରୁତ୍ୱ ଦିଆଯାଉଛି। ଏ ନେଇ କାମାକ୍ଷାନଗର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ସୋମବାର ପୂର୍ବାହ୍ନରେ କରୋନା ମୁକାବିଲା ନେଇ ପୋଲିସ ଏବଂ ପ୍ରଶାସନିକ ଅଧିକାରୀଙ୍କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପଜିଲାପାଳ ଇଂ. ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ କରୋନାକୁ କିଭଳି ମୁକାବିଲା କରାଯାଇପାରିବ ସେ ନେଇ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବା ଲାଗି ସମସ୍ତଙ୍କ ମତାମତ ଲୋଡ଼ା ଯାଇଥିଲା।
କରୋନା ସଂକ୍ରମିତ ଜିଲାରୁ ଉପଖଣ୍ଡକୁ ଆସୁଥିବା ବ୍ୟକ୍ତିଙ୍କୁ ନିଜ ଘରେ ରହିବାକୁ ଅନୁମତି ଦିଆଯିବନାହିଁ। ସେମାନଙ୍କୁ ପ୍ରଶାସନ ପକ୍ଷରୁ କରାଯାଇଥିବା ସ୍ବତନ୍ତ୍ର ଗୃହରେ ରଖାଯିବ। ଲୋକମାନେ ଯେପରି ସାମାଜିକ ଦୂରତା ରକ୍ଷା କରିବେ ସେଥିଲାଗି ପୋଲିସ ଦୃଢ଼ ପଦକ୍ଷେପ ନେବାକୁ ଉପଜିଲାପାଳ ପରାମର୍ଶ ଦେଇଛନ୍ତି। ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କ ପାଖରେ ସାମଗ୍ରୀ ପହଞ୍ଚାଇବା, କାର୍ଡଧାରୀଙ୍କୁ ୧ ହଜାର ଟଙ୍କା ଯେପରି ସହଜରେ ମିଳିପାରିବ ସେଥିଲାଗି ସମନ୍ବୟ ରଖି କାର୍ଯ୍ୟ କରିବାକୁ ଉପଜିଲାପାଳ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ସହରର ପରିମଳ ବ୍ୟବସ୍ଥା ସୁଧାରିବାକୁ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ଏସ୍‌ଡିପିଓ ସୁପ୍ରସନ୍ନ ମଲ୍ଲିକ, ଥାନାଧିକାରୀ ଅଭିନବ ଡାଳୁଆ, ତହସିଲଦାର ସଞ୍ଜୟ ରାଉତ, ବିଡିଓ ବିକାଶ ମହାନ୍ତି, ନିର୍ବାହୀ ଅଧିକାରୀ ଇଂ. ବିରଜା ପ୍ରସାଦ ରଥ, ରାଜସ୍ବ ଅଧିକାରୀ ମାନସ ଦଣ୍ଡପାଟ, ଉପଖଣ୍ଡ ଚିକିତ୍ସାଧିକାରୀ ଡା. ରତ୍ନାକର ସାମଲ, ଯୋଗାଣ ଅଧିକାରୀ ସଞ୍ଜୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।