Categories: ଜାତୀୟ

ଆଗକୁ ସ୍ବାଧୀନତା ଦିବସ: ନିୟନ୍ତ୍ରଣ ରେଖାରେ ୧୧୦ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ସୁଯୋଗ ଅପେକ୍ଷାରେ

ଶ୍ରୀନଗର, ୧।୮: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାରେ ଥିବା ପାକିସ୍ତାନ ଲଞ୍ଚ୍‌ପ୍ୟାଡ୍‌ରେ ୧୧୦ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ସୁଯୋଗକୁ ଅପେକ୍ଷା କରିଥିବା ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜାରି ରହିଥିବା ଅପରେଶନ୍‌ ଅଲଆଉଟ୍‌ ଯୋଗୁ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇର ଚିନ୍ତାବଢ଼ିବାରେ ଲାଗିଛି। କିଭଳି ସ୍ବାଧୀନତା ଦିବସ ପୂର୍ବରୁ ଭାରତରେ ତାଲିମ୍‌ପ୍ରାପ୍ତ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଯିବ ସେନେଇ ଆଇଏସ୍‌ଆଇ ଯୋଜନା କରିଛି। ଉତ୍ତର କଶ୍ମୀରର ନିୟନ୍ତ୍ରଣ ରେଖାଠାରେ ଥିବା ସୀମାପାର ଲଞ୍ଚ୍‌ପ୍ୟାଡ୍‌ରେ ୬୦ ଜଣ ଆତଙ୍କବାଦୀ ସୁଯୋଗକୁ ଅପେକ୍ଷା କରିଥିବାବେଳେ ଜମ୍ମୁର ଅଖନୁର ସେକ୍ଟରରେ ୫୦ ଜଣ ଆତଙ୍କବାଦୀ ରହିଛନ୍ତି। ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରିବା ଲାଗି ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଉଛି। ତେବେ ଭାରତୀୟ ସେନା ଏହାର ଉପଯୁକ୍ତ ଜବାବ୍‌ ଦେଉଥିବାରୁ ଆଇଏସ୍‌ଆଇର ଷଡ଼ଯନ୍ତ୍ର ସଫଳ ହୋଇ ପାରୁନାହିଁ। ଭାରତୀୟ ଗୋଇନ୍ଦା ବିଭାଗର ସୂଚନା ଆଧାରରେ ନିୟନ୍ତ୍ରଣ ରେଖାଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Share