ରାଜ୍ୟରେ ପ୍ରଥମ: ଟ୍ରକ ଧକ୍କାରେ ୩ହାତୀଙ୍କ ମୃତ୍ୟୁ

ଢେଙ୍କିକୋଟ/କେନ୍ଦୁଝର,୨୨।୮(ଡି.ଏନ.ଏ./ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ରେଞ୍ଜ ଉପରଡିହା ଗ୍ରାମପଞ୍ଚାୟତର ବାଲିଯୋଡି ଗ୍ରାମ ନିକଟ ୨୦ନଂ ଜାତୀୟ ରାଜପଥରେ ବୁଧବାର ବିଳମ୍ବିତ ରାତିରେ ଲୁହାପଥର ବୋଝେଇ ଟ୍ରକ ଧକ୍କାରେ ଦୁଇଟି ହାତୀର ମୃତ୍ୟୁ ହୋଇଥିବା ବେଳେ ଗୁରୁବାର ଆହତ ହାତୀର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ବୁଧବାର ରାତିରେ ଯାଜପୁର ରୋଡରୁ ଆସୁଥିବା ଏକ ୧୪ ଚକିଆ ଟ୍ରକ ୩ଟି ହାତୀକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୨ହାତୀର ମୃତ୍ୟୁ ହୋଇଥିବା ବେଳେ ଆଉ ଗୋଟିଏ ହାତୀ ଗୁରୁତର ଆହତ ହୋଇଥିଲା। ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ, ପୋଲିସ ପହଞ୍ଚି ଆହତ ହାତୀଟିର ଚିକିତ୍ସା ବ୍ୟବସ୍ଥା କରାଇଥିଲେ। ତେବେ ଘଟଗାଁ ପ୍ରାଣୀଚିକିତ୍ସକ ଆହତ ହାତୀକୁ ଚିକିତ୍ସା କରୁଥିବା ବେଳେ ସେଠାରେ ତା’ର ମୃତ୍ୟୁ ଘଟିଥିବା ନେଇ ବନବିଭାଗ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ବୁଧବାରରୁ ମୃତ ହାତୀମାନେ ରାସ୍ତା ଉପରେ ପଡ଼ିରହିଥିବାରୁ ଗୁରୁବାର ଯାତାୟାତରେ ବାଧା ସୃଷ୍ଟି ହୋଇଥିଲା। ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ତ୍ୱରାନିତ କରାଯିବା ପରେ ଯାତାୟାତ ସ୍ବାଭାବିକ ହୋଇଥିଲା। ତେବେ ଜାତୀୟ ରାଜପଥ ପାର ହେବା ସମୟରେ ଟ୍ରକ ଧକ୍କା ଦେବାରୁ ହାତୀଙ୍କ ମୃତ୍ୟୁ ଘଟଣା ଓଡ଼ିଶାରେ ପ୍ରଥମ ଏବଂ ର୍ଦୁଭାଗ୍ୟଜନକ ବୋଲି ଡିଏଫ୍‌ଓ ସନ୍ତୋ ଯୋଶୀ କହିଛନ୍ତି। ହାତୀଙ୍କ ସୁରକ୍ଷା ନେଇ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଫାଙ୍କା ସ୍ଥାନରେ ଏହି ଦୁର୍ଘଟଣାରେ ୩ହାତୀଙ୍କ ଜୀବନ ଯିବାକୁ ନେଇ ନିନ୍ଦା କରାଯିବା ସହ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ ଘଟଗଁାରେ ପାଟ୍ରୋଲିଂ କରାଯାଉ ନ ଥିବାରୁ ଏହି ଦୁର୍ଘଟଣା ଘଟିଥିବା ନେଇ କୁହାଯାଉଥିବା ବେଳେ ଏହାକୁ ଘଟଗାଁ ରେଞ୍ଜର ଅଶୋକ ନାୟକ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ପାଟ୍ରୋଲିଂ କରିବାର ଘଣ୍ଟାଏ ସମୟ ପରେ ଏହି ଦୁର୍ଘଟଣା ଘଟିଥିଲା।