ଆଖିରେ ଟାଟୁ କରି ଦୃଷ୍ଟିଶକ୍ତି ହରାଇଲେ ମଡେଲ

ଓ୍ବାର୍ସା,୪।୩: ଶରୀରରେ ଟାଟୁ କରିବା ବର୍ତ୍ତମାନ ଟ୍ରେଣ୍ଡ ପାଲଟିଥିବା ବେଳେ ଏବେ ଏହାକୁ ନେଇ ଯୁବପିଢ଼ିଙ୍କ ମଧ୍ୟରେ କ୍ରେଜ୍‌ କାହିଁରେ କେତେ। ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ କରାଯାଉଥିବା ଟାଟୁ ବେଳେବେଳେ କ୍ଷତିକାରକ ମଧ୍ୟ ସାବ୍ୟସ୍ତ ହୋଇଥାଏ। କିଏ ହାତରେ ଟାଟୁ କରିଥାଏ ତ କିଏ ମୁହଁରେ। ବେଳେବେଳେ ସମ୍ବେଦନଶୀଳ ସ୍ଥାନରେ ଟାଟୁ କରିବା କ୍ଷତିକାରକ ହେବା ସହ ଜୀବନ ପ୍ରତି ବିପଦ ମଧ୍ୟ ସୃଷ୍ଟି ହୋଇଥାଏ। ଏହି ପରିପ୍ରେକ୍ଷୀରେ ଜଣେ ମଡେଲଙ୍କୁ ଟାଟୁ କରିବା ମହଙ୍ଗା ପଡ଼ିଛି। ଆଖିରେ ଟାଟୁ କରିବାରୁ ତାଙ୍କର ଦୃଷ୍ଟିଶକ୍ତି ଚାଲିଯାଇଛି। ଖୁବ୍‌ଶୀଘ୍ର ଅନ୍ୟ ଆଖିର ଦୃଷ୍ଟିଶକ୍ତି ମଧ୍ୟ ଚାଲିଯାଇପାରେ ବୋଲି କୁହାଯାଉଛି। ଏନେଇ ଉକ୍ତ ମଡେଲ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଘଟଣା ଘଟିଛି ପୋଲାଣ୍ଡର ରୋକ୍ଲାରେ। ସେଠାରେ ରହୁଥିବା ଆଲେକଜାଣ୍ଡ୍ରା ସାଡୋସ୍କା ରାପ୍‌ ଆର୍ଟିଷ୍ଟ ପୋପେକଙ୍କ ଭଳି ଆଖି ଡୋଳାକୁ କଳା କରିବାକୁ ଚାହୁଁଥିଲେ। ଏଥିପାଇଁ ସେ ଏକ ଟାଟୁ ଆର୍ଟିଷ୍ଟଙ୍କ ପାଖକୁ ଯାଇଥିଲେ। ଏହି ଆଇବୋଲ ଟାଟୁକୁ ସ୍କେରାଲ ଟାଟୁ ମଧ୍ୟ କୁହାଯାଏ। ଏଭଳିି ଟାଟୁ ଦ୍ୱାରା କୌଣସି ବ୍ୟକ୍ତି ଆଖିରେ ଥିବା ଧଳାଭାଗକୁ ଭିନ୍ନ ଭିନ୍ନ ରଙ୍ଗରେ ରଙ୍ଗିନ କରିପାରିବେ। ଡେଲି ମେଲ୍‌ ରିପୋର୍ଟ ଅନୁସାରେ ୨୫ ବର୍ଷୀୟ ମଡେଲ ଆଲେକଜାଣ୍ଡ୍ରା ନିଜ ଆଖିଡୋଳାରେ ଏହି ଟାଟୁ କରିଥିଲେ। ଏହାପରେ ତାଙ୍କ ଆଖିରେ ଯନ୍ତ୍ରଣା ଅନୁଭବ ହୋଇଥିଲା। ଏନେଇ ଟାଟୁ ଆର୍ଟିଷ୍ଟଙ୍କୁ ଅବଗତ କରାଇବା ପରେ ସେ ମଡେଲଙ୍କୁ ପେନ୍‌ କିଲର ଖାଇବାକୁ ପରାମର୍ଶ ଦେଇଥିଲେ। ମେଡିସିନ ଖାଇବା ପରେ ବି ତାଙ୍କର ଯନ୍ତ୍ରଣା କମ୍‌ ନ ହେବା ସହ ଦୃଷ୍ଟିଶକ୍ତି ଚାଲିଯାଇଥିଲା। ନିଜର ଦୃଷ୍ଟିଶକ୍ତି ଫେରାଇ ଆଣିବା ପାଇଁ ଆଲେକଜାଣ୍ଡ୍ରା ଆଖିର ୩ଥର ସର୍ଜରି କରାଇ ସାରିଲେଣି। କିନ୍ତୁ ତାଙ୍କର ଦୃଷ୍ଟିଶକ୍ତି ଫେରି ପାଇବା ସମ୍ଭାବନା କମ୍‌ ରହିଛି ବୋଲି ଡାକ୍ତର କହିଛନ୍ତି। କାରଣ ଆଖିରେ ବ୍ୟବହୃତ ହୋଇଥିବା ଇଙ୍କ୍‌ ତାଙ୍କର ଟିସୁ ପର୍ଯ୍ୟନ୍ତ ପହଞ୍ଚି ଯାଇଛି। ସୂଚନା ମୁତାବକ ଉକ୍ତ ଟାଟୁ ଆର୍ଟିଷ୍ଟ ଆଖି ଡୋଳାରେ ଯେଉଁ ଇଙ୍କ୍‌ ବ୍ୟବହାର କରିଥିଲେ ତାହା ଆଖି ପାଇଁ କ୍ଷତିକାରକ। ତେବେ ଏହି ମାମଲାରେ ଉକ୍ତ ଟାଟୁ ଆର୍ଟିଷ୍ଟଙ୍କୁ ଗିରଫ କରାଯାଇ ୩ବର୍ଷର ଜେଲ ଦଣ୍ଡାଦେଶରେ ଦଣ୍ଡିତ କରାଯାଇଛି।

Share