ଆକ୍ରମଣ ଘଟଣା: ବାପପୁଅଙ୍କୁ ୧୨ବର୍ଷ କାରାଦଣ୍ଡ

ନୟାଗଡ଼ ଅଫିସ,୨୦ା୧: ନୟାଗଡ଼ ଜିଲା ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ମାନସ କୁମାର ପଣ୍ଡା ଶନିବାର ଏକ ଆକ୍ରମଣ ଘଟଣାର ବିଚାର କରି ବାପପୁଅଙ୍କୁ ୧୨ ବର୍ଷ କାରାଦଣ୍ଡ ଶୁଣାଣି କରିଛନ୍ତି। ସେମାନେ ହେଲେ ଓଡ଼ଗାଁ ଥାନା ଜାମୁସାହି ଗ୍ରାମର ନକୁଳ ଜେନା ଓ ତାଙ୍କ ପୁଅ ଅମୂଲ୍ୟ । ମାମଲାରୁ ପ୍ରକାଶ ଯେ, ୨୬ ଜୁନ୍‌ ୨୦୧୫ରେ ଜାମୁସାହି ଗ୍ରାମର ବନମାଳୀ ଜେନା ତାଙ୍କ ଜମିରେ ହଳ କରୁଥିଲେ। ଏହି ସମୟରେ ବନମାଳୀଙ୍କ ଭାଇ ନକୁଳ ଓ ପୁତୁରା ଅମୂଲ୍ୟ ଜେନା ନିକଟ ବିଲରେ ହିଡ ହାଣୁଥିଲେ। ହିଡ ହାଣି ଘୂଞ୍ଚାଇଥିବା ଅଭିଯୋଗ କରି ବନମାଳୀ ଏହାର ପ୍ରତିବାଦ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ବାପ ପୁଅ ମିଳିତ ଭାବେ ତାଙ୍କୁ ଆକ୍ରମଣ କରିଥିଲେ। ବନମାଳୀ ଗୁରୁତର ଅବସ୍ଥାରେ ବିଲରେ ପଡ଼ି ରହିଥିଲେ। ସେଠାରେ କାମ କରୁଥିବା କିଛି ଲୋକ ତାଙ୍କୁ ଉଦ୍ଧାର କରି ଓଡ଼ଗାଁ ମେଡ଼ିକାଲ୍‌କୁ ଆଣିଥିଲେ। ଚିକିତ୍ସିତ ହେବା ପରେ ବନମାଳୀ ଓଡ଼ଗାଁ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ନକୁଳଙ୍କୁ ଗିରଫ କରିଥିବା ବେଳେ ଅମୂଲ୍ୟ ଉଚ୍ଚ ନ୍ୟାୟାଳୟରୁ ଜାମିନରେ ଆସିଥିଲେ। ଓଡ଼ଗାଁ ପୋଲିସ ଏ ନେଇ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିଥିଲା। ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଜିଲା ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ପଣ୍ଡା ଉଭୟ ବାପା ପୁଅଙ୍କୁ ୧୨ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଣି କରିଥିଲେ। ଏଥିସହ ଉଭୟଙ୍କୁ ୧ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଥିଲେ। ସରକାରୀ ଓକିଲ ଅମିୟ କୁମାର ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ।