Categories: ଜାତୀୟ

ଆକାଶରୁ ଖସିଲା ୧୩ କିଗ୍ରା ଓଜନର ରହସ୍ୟମୟ ପଥର

ପାଟନା,୨୪।୭: ବିହାର ମଧୁବାନି ଅଞ୍ଚଳରେ ଆକାଶରୁ ୧୩ କିଗ୍ରା ଓଜନର ଏକ ରହସ୍ୟମୟ ପଥର ଖସିଛି। ଏନେଇ ଜିଲାପାଳ ଶିର୍‌ସତ୍‌ କପିଲ୍‌ ଅଶୋକ ବୁଧବାର ସୂଚନା ଦେଇଛନ୍ତି। ସ୍ଥାନୀୟ ମହାଦେବ ଗାଁର କିଛି ଲୋକ ଜମିରେ କାମ କରୁଥିବାବେଳେ ଅକାଶରୁ ତଳେ କିଛି ଦ୍ରବ୍ୟ ଜୋର୍‌ରେ ପଡ଼ିବା ଶବ୍ଦ ଶୁଣିଥିଲେ। ସେମାନେ ଘଟଣାସ୍ଥଳକୁ ଆସି ସେଠାରେ ପ୍ରାୟ ୫ ଫୁଟ ଗଭୀର ଏକ ଗର୍ତ୍ତ ସୃଷ୍ଟି ହୋଇଥିବା ଦେଖିଥିଲେ। ଏହା ମଧ୍ୟରେ ଏକ ବଡ଼ ପଥର ଖଣ୍ଡ ଥିବା ସେମାନେ ଦେଖିଥିଲେ। ଏନେଇ ସେମାନେ ଜିଲାପ୍ରଶାସନକୁ ଅବଗତ କରାଇଥିଲେ। ପରେ ପଥର ଖଣ୍ଡକୁ ଉଦ୍ଧାର କରାଯାଇଥିଲା। ଏହା ସାଧାରଣ ପଥର ପରି ଥିଲେ ମଧ୍ୟ ଏହା ଚକ୍‌ମକ୍‌ କରିବା ସହିତ ଲୌହଖଣ୍ଡକୁ ଆକର୍ଷିତ କରୁଥିବା କୁହାଯାଉଛି। ଏଥିରେ ଚୁମ୍ବକୀୟ ଶକ୍ତି ଥିବା କୁହାଯାଉଛି। ଏହା ବୃହତ୍‌ ଉଲ୍‌କା ପିଣ୍ଡ କିମ୍ବା ଅନ୍ୟ କେଉଁ ମହାଜାଗତିକ ପଦାର୍ଥ ତାହାର ଗବେଷଣା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଯୋଜନା କରାଯାଇଥିବା କୁହାଯାଉଛି।

Share