ଆଉ ୨ ଦିନ ଘନ କୁହୁଡ଼ି: ୟେଲୋଓ୍ବାର୍ନିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୨୩ା୧(ବ୍ୟୁରୋ): ରାଜ୍ୟରେ ଶୀତର ପ୍ରକୋପ ହ୍ରାସ ପାଇଛି। ଅଧିକାଂଶ ସ୍ଥାନରେ ପାରଦ ୧୨ ଡିଗ୍ରୀ ସେଲସିୟସ ଉପରେ ରହିଛି। କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରୀ ଛୁଇଁଲାଣି। ଜାନୁୟାରୀ ମାସରୁ ଗରମର ଆଭାସ ମିଳିଲାଣି। ଫେବୃୟାରୀରୁ ପ୍ରବଳ ଖରା ହନ୍ତସନ୍ତ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କଲାଣି। ଆଣ୍ଟି ସାଇକ୍ଲୋନିକ ପରିବେଶ ଯୋଗୁ ବଙ୍ଗୋପ ସାଗର ପଟୁ ଉପକୂଳକୁ ଅଧିକ ଜଳୀୟ ବାଷ୍ପ ପ୍ରବେଶ କରୁଛି। ଫଳରେ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡିଶାରେ କୁହୁଡ଼ି ପରିମାଣ ବୃଦ୍ଧି ପାଉଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପାଗ ଶୁଖିଲା ରହିବା ସହ ପ୍ରବଳ କୁହୁଡ଼ି ହେବାର ସମ୍ଭାବନା ରହିଛି। ଭଦ୍ରକ, ଯାଜପୁର, ଜଗତ୍‌ସିଂହପୁର, କଟକ, ଖୋର୍ଦ୍ଧା, କେନ୍ଦ୍ରାପଡା, ସୋନପୁର, ଦେବଗଡ଼, ସମ୍ବଲପୁର, ବଲାଙ୍ଗୀର, ଅନୁଗୋଳ, ଢେଙ୍କାନାଳ, କୋରାପୁଟ, କନ୍ଧମାଳ, ଝାରସୁଗୁଡାଏବଂ ସୁନ୍ଦରଗଡ ଜିଲାର କେତେକ ସ୍ଥାନରେ ପ୍ରବଳ କୁହୁଡି ହେବ। ସେହିପରି ୨୪ ତାରିଖରେ ମୟୂରଭଞ୍ଜ, ଅନୁଗୋଳ, ଦେବଗଡ, ଖୋର୍ଦ୍ଧା, ଜଗତ୍‌ସିଂହପୁର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ବୌଦ୍ଧ, ସୋନପୁର, ନୟାଗଡ, ପୁରୀ, କଳାହାଣ୍ଡି, କୋରାପୁଟ, କେନ୍ଦୁଝର ଆଦି ଜିଲାର ଅଧିକାଂଶ ଭାଗ ଘନ କୁହୁଡିରେ ଆଚ୍ଛାଦିତ ହେବ। ୨୦୦ ମିଟର ପର୍ଯ୍ୟନ୍ତ ଖାଲି ଆଖିରେ ଦେଖା ଯିବ ନାହିଁ। ଯାନବାହନ ଚଳାଚଳ ସମୟରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। କୁହୁଡିକୁ ଦୃଷ୍ଟିରେ ରଖି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଏଲୋଓ୍ବାର୍ନିଂ ଜାରି କରାଯାଇଛି।