ଆଉ ଗୋଟିଏ ଲମ୍ଫ ଦେଲେ ଓଡ଼ିଶାରେ ଶୀର୍ଷକୁ ପହଞ୍ଚିଯିବୁ: ଶାହା

ଭୁବନେଶ୍ୱର,୨୮।୨(ବ୍ୟୁରୋ): ଗୁଜରାଟ ପରେ ଓଡ଼ିଶା ମୋର ଦ୍ୱିତୀୟ ଘର ଭଳି ଲାଗେ। ଗତ ସାଧାରଣ ନିର୍ବାଚନରେ ଓଡ଼ିଶାବାସୀ ଭାଜପାକୁ ୮ ସିଟ୍‌ ଦେଇଥିବାରୁ ଧନ୍ୟବାଦ। ଏହାଦ୍ୱାରା ପୂର୍ବ ଭାରତରେ ଭାଜପା ପାଇଁ ମାହୋଲ ବନିଥିଲା। ଓଡ଼ିଶାରେ ବିଜେଡିକୁ ୧.୧ କୋଟି ଭୋଟ ମିଳିଥିବା ବେଳେ ଭାଜପାକୁ ୯୧ ଲକ୍ଷ ଭୋଟ ମିଳିଛି। ଆଉ ଗୋଟିଏ ଲମ୍ଫ ଲଗାଇଲେ, ଆମେ ଏଠି ଶୀର୍ଷକୁ ପହଞ୍ଚିଯିବୁ ବୋଲି ଶୁକ୍ରବାର ଭାଜପା ପକ୍ଷରୁ ଜନତା ମଇଦାନରେ ଆୟୋଜିତ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ ଦଳୀୟ ନେତା ତଥା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି।

ଏହି ଅବସରରେ ଶାହା ଓଡ଼ିଶା ପାଇଁ ମୋଦି ନେଇଥିବା ପଦକ୍ଷେପ ସମ୍ପର୍କରେ ହିସାବ ମଧ୍ୟ ଦେଇଛନ୍ତି। ବିଶେଷକରି ରାସ୍ତାଘାଟ, ଆବାସ ଯୋଜନା ସମ୍ପର୍କରେ ଶାହା ତଥ୍ୟ ରଖିଛନ୍ତି। ୨୦୦୯ରୁ ୨୦୧୪ ମଧ୍ୟରେ କଂଗ୍ରେସ ଓଡ଼ିଶାକୁ ୭୯ ହଜାର କୋଟି ଟଙ୍କା ଦେଇଥିଲା। ହେଲେ ୨୦୧୪ରୁ ୨୦୧୯ ମଧ୍ୟରେ ମୋଦି ଓଡ଼ିଶାକୁ ୨.୧୧ ଲକ୍ଷ କୋଟି ଟଙ୍କା ଦେଇଛନ୍ତି। ଆସନ୍ତା ୨୦୨୪ ସୁଦ୍ଧା ଓଡ଼ିଶାର ସବୁ ଘରକୁ ନଳରେ ପାନୀୟ ଜଳ ମିଳିବ ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି, ଏଠାରେ ନବୀନ ବାବୁଙ୍କ ସରକାର। ଆମେ ଜନମତକୁ ସମ୍ମାନ ଜଣାଉଛୁ। କେନ୍ଦ୍ର ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାକୁ ନବୀନଙ୍କୁ ଅନୁରୋଧ କରୁଛି। ସାଧାରଣ ଲୋକ ଯେଭଳି କେନ୍ଦ୍ର ଯୋଜନାର ଲାଭ ପାଇବେ ଦେଖନ୍ତୁ ବୋଲି ଶାହା କହିଛନ୍ତି।