‘ଆଉ ଏଭଳି ଭୁଲ୍‌ ହେବନି’

ଭୁବନେଶ୍ୱର,୨୧।୮ବ୍ୟୁରୋ): ଓଲିଉଡ ଅଭିନେତା ବାବୁସାନ୍‌ ମହାନ୍ତି ଶନିବାର ଏକ ଭିଡିଓ ଜାରି କରିଛନ୍ତି, ଯେଉଁଥିରେ ସେ ନିକଟରେ ଘଟିଥିବା ଘଟଣାକୁ ନେଇ ଅନୁତାପ ପ୍ରକାଶ କରୁଛନ୍ତି। ଭିଡିଓ ମାଧ୍ୟମରେ ସେ ଓଡ଼ିଶାବାସୀଙ୍କୁ କ୍ଷମା ମାଗିବା ସହ ଏଭଳି ଭୁଲ୍‌ ଆଉ କେବେ ହେବ ନାହିଁ ବୋଲି କହୁଥିବା ଦେଖିବାକୁ ମିଳୁଛି। ଏଥିସହ ସେ କହିଛନ୍ତି, ସ୍ତ୍ରୀ ତୃପ୍ତି ଓ ଶ୍ୱଶୁର ଲଳିତଙ୍କ ନାଁରେ କେସ୍‌ ହୋଇଛିି। ଏଥିପାଇଁ ତାଙ୍କ ପରିବାର ବହୁ କଷ୍ଟ ପାଉଛନ୍ତି। ସେମାନଙ୍କର କୌଣସି କ୍ଷତି ହେବାକୁ ଦେବିନି ବୋଲି ସେ ଉକ୍ତ ଭିଡିଓରେ ପ୍ରତିଶ୍ରୁତି ରଖିଛନ୍ତି। ଫଳରେ ସେଲିବ୍ରିଟି ପରିବାରରେ ଉପୁଜିଥିବା ବିବାଦ ଭିନ୍ନ ମୋଡ଼ ନେଇଛି।
ଜୁଲାଇ ୨୩ରେ ବାବୁସାନ୍‌, ସ୍ତ୍ରୀ ତୃପ୍ତି ଶତପଥୀ ଓ ଅଭିନେତ୍ରୀ ପ୍ରକୃତିଙ୍କ ମଧ୍ୟରେ ଉପୁଜିଥିବା ବିବାଦ ପଦାକୁ ଆସିଥିଲା। ପ୍ରକୃତିଙ୍କ ସହ ବାବୁସାନ୍‌ ଭୁବନେଶ୍ବର ବିମାନବନ୍ଦରକୁ ଯାଉଥିବାବେଳେ ଭୁବନେଶ୍ୱର ସତ୍ୟନଗରଠାରେ ତୃପ୍ତି ସେମାନଙ୍କୁ ଅଟକାଇଥିଲେ। ବାବୁସାନଙ୍କ ଶାର୍ଟ କଲର ଧରି ଗାଡିରୁ ବାହାରକୁ ଟାଣି ଆଣିବାକୁ ଚେଷ୍ଟା କରିଥିଲେ। ପ୍ରକୃତିଙ୍କୁ ମଧ୍ୟ ଟଣାଓଟରା କରିବା ସହ ମାଡ଼ ମାରିଥିଲେ। ତେବେ ତୃପ୍ତିଙ୍କ ଏଭଳି ଅଶୋଭନୀୟ ଆଚରଣ ପାଇଁ ପ୍ରକୃତିଙ୍କ ମା’ କୃଷ୍ଣପ୍ରିୟା ଖାରବେଳନଗର ଥାନାରେ ତୃପ୍ତିଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। ପରେ ତୃପ୍ତି ମଧ୍ୟ ପ୍ରକୃତି ଓ ବାବୁସାନଙ୍କ ବିରୋଧରେ ଏତଲା ଦେଇଥିଲେ। ଏନେଇ ପୋଲିସ ୩ ପୃଥକ୍‌ ମାମଲା ରୁଜୁ କରିଥିଲା। ଏପରି କି ବାବୁସାନଙ୍କ ନାଁରେ ନିର୍ଯାତନା ମାମଲା ରୁଜୁ ହୋଇଥିବାବେଳେ ଏହା ହାଇକୋର୍ଟରେ ପହଞ୍ଚତ୍ଥିଲା।