ଆଉ ଏକ ଯୁଦ୍ଧକୁ ସମ୍ଭାଳି ହେବନାହିଁ

ଜାତିସଂଘ,୪ା୧(ପି.ଟି.): ଆମେରିକାର ଏୟାର ଷ୍ଟ୍ରାଇକ୍‌ରେ ଇରାନର ଶୀର୍ଷ ସାମରିକ କମାଣ୍ଡର କାସିମ ସୋଲେମାନୀ ନିହତ ହେବା ପରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ନେଇ ଜାତିସଂଘ ସମେତ ବିଶ୍ୱ ସମୁଦାୟ ଚିନ୍ତାବ୍ୟକ୍ତ କରିଛନ୍ତି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ କହିଛନ୍ତି, ଉପସାଗରରେ ଆଉ ଏକ ଯୁଦ୍ଧକୁ ବିଶ୍ୱ ସମ୍ଭାଳି ପାରିବ ନାହିଁ। ଉତ୍ତେଜନା ହ୍ରାସ ପାଇଁ ନେତାମାନେ ସଂଯମ ରହିବାର ବେଳ ଆସିଛି। ସେହିପରି ଚାଇନା, ରୁଷିଆ ଓ ଫ୍ରାନ୍ସ ଭଳି ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ଏହାକୁ ନେଇ ଚିନ୍ତିତ ଥିବା କହିଛନ୍ତି। ଆମେରିକାର ଏହି କାର୍ଯ୍ୟାନୁଷ୍ଠାନ ପରେ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ହ୍ରାସ କରିବା ଲାଗି ବ୍ରିଟେନ ଓ ଜର୍ମାନୀ ପରାମର୍ଶ ଦେଇଛନ୍ତି। ସିରିଆ ରାଷ୍ଟ୍ରପତି ବଶର ଅଲ-ଅସାଦ ଜେନେରାଲ ସୋଲେମାନୀଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି। ସିରିଆରେ ୯ ବର୍ଷ ଧରି ଚାଲିଥିବା ଗୃହଯୁଦ୍ଧ ବେଳେ ସୋଲେମାନୀ ତାଙ୍କ ଶାସନର ସୁରକ୍ଷା ପାଇଁ ସହାୟକ ହୋଇଥିଲେ। ତାଙ୍କ ଅବଦାନକୁ ଭୁଲି ହେବନାହିଁ ବୋଲି ଅସାଦ କହିଛନ୍ତି। ପାକିସ୍ତାନ ମଧ୍ୟ ସଂଯମ ରହିବାକୁ ଦୁଇପକ୍ଷଙ୍କୁ ପରାମର୍ଶ ଦେଇଛି।

Share