ଆଇସ୍‌ ଏଜ୍‌ରେ ମାମୋଥ୍‌ ହାଡ଼ରେ ଘର ନିର୍ମାଣ କରୁଥିଲା ମାନବ…

ମସ୍କୋ, ୨୨।୩: ଆଇସ୍‌ ଏଜ୍‌ରେ ମାନବ କିଭଳି ଘରେ ବାସ କରୁଥିଲା ସେନେଇ ପ୍ରମାଣ ମିଳିଛି। ୟୁକ୍ରେନ୍‌ ଏବଂ ରୁଷିଆର କେତେକ ଅଞ୍ଚଳର ଖନନ ସମୟରେ ମାଟି ତଳୁ ଗୋଲାକାର ଭାବେ ପୋତା ଯାଇଥିବା ମାମୋଥ୍‌ କଙ୍କାଳର ସନ୍ଧାନ ପ୍ରତ୍ନତତ୍ତ୍ୱବିତ୍‌ମାନେ ପାଇଛନ୍ତି। କଙ୍କାଳଗୁଡ଼ିକ ମଧ୍ୟରେ ମାମୋଥ୍‌ର ୫୧ଟି ତଳମାଢ଼ି ଏବଂ ଅନ୍ୟ ୬୪ କଙ୍କାଳ ରହିଛି। ଏହା ପ୍ରାୟ ୨୦,୦୦୦ ବର୍ଷ ତଳର ବୋଲି ପ୍ରତ୍ନତତ୍ତ୍ୱବିତ୍‌ ସୂଚନା ଦେଇଛନ୍ତି। ଘରଗୁଡ଼ିକର ଲମ୍ବ ଏବଂ ପ୍ରସ୍ଥ ଉଭୟ ୩୦ଫୁଟ ରହିଛି। ଏଥିରେ ବ୍ରିଟେନ୍‌ ଏକ୍ସଟର ବିଶ୍ୱବିଦ୍ୟାଳୟର କିଛି ଗବେଷକ ମଧ୍ୟ ଯୋଗ ଦେଇଛନ୍ତି। ସମ୍ଭବତଃ ମାନବ ସେତେବେଳେ ମାମୋଥ୍‌ ହାଡ଼ରେ ଘର ନିର୍ମାଣ କରୁଥିବାର ଅନୁମାନ ଗବେଷକ କରୁଛନ୍ତି। ମାମୋଥ୍‌ ହାଡ଼ ଗୁଡ଼ିକ ଶକ୍ତ ଏକ ଲମ୍ବ ଥିବାରୁ ଏଥିରେ ଘର ତିଆରି କରିବା ସହଜ ହେଉଥିଲା ବୋଲି ଗବେଷକ କହିଛନ୍ତି। ମସ୍କୋଠାରୁ ୫୦୦ କିଲୋମିଟର ଦୂରରେ ଥିବା କୋଣ୍ଟେନେକି ଗାଁରେ ଏହି ଖନନ ଜାରି ରହିଛି। ଘର ଭିତରୁ କିଛି କାଠ ଅଙ୍ଗାର ମିଳିଛି। ଥଣ୍ଡାରୁ ରକ୍ଷା ପାଇବା ପାଇଁ ମାନବ ସେତେବେଳେ ନିଆଁର ବ୍ୟବହାର କରୁଥିବା ଅନୁମାନ କରାଯାଉଛି। ସେହିପରି ଖନନ ସମୟରେ ହରିଣ, ଘୋଡ଼ା, ଭାଲୁ, ଗଧିଆ, ବିଲୁଆ ଆଦିଙ୍କ କଙ୍କାଳ ମଧ୍ୟ ମିଳିଛି। ଏନେଇ ଅଧିକ ଗବେଷଣା ଜାରି ରହିଛି।

Share