ଆଇସ୍‌କ୍ରିମ୍‌ରୁ ବାହାରିଲା ବ୍ଲେଡ୍‌

ନୟାଗଡ଼ ଅଫିସ,୨୯ା୧୦: ନୟାଗଡ଼ ସଦର ବ୍ଲକ ବାଘେରା ଧବଳେଶ୍ୱର ଯାତ୍ରାରେ ସୋମବାର ଏକ ଆଇସ୍‌କ୍ରିମ୍‌ରୁ ବ୍ଲେଡ୍‌ ବାହାରିଥିବା ଦେଖିବାକୁ ମିଳିଥିଲା। ଇଟାମାଟି ତେଲିସାହିର ରଞ୍ଜନ କୁମାର ବସନ୍ତରାୟ ଯାତ୍ରା ଦେଖିବାକୁ ଯାଇଥିବାବେଳେ ସେଠାରେ ଜଣେ ବେପାରୀଙ୍କଠାରୁ ଆଇସ୍‌କ୍ରିମ୍‌ କିଣିଥିଲେ। ଏହାକୁ ସେ ଖାଇବା ସମୟରେ ତାଙ୍କ ପାଟିରେ ଅଲଗା କିଛି ଜିନିଷ ବାଜିଥିଲା। ପରେ ସେ ତାହାକୁ ପାଟିରୁ ବାହାର କରିବାରୁ ସେଥିରେ ବ୍ଲେଡ୍‌ ଥିବା ଦେଖିଥିଲେ। ଏ ନେଇ ସେ ଉକ୍ତ ବେପାରୀଙ୍କୁ ପଚାରିବାରୁ ସେ କିଛି ଜାଣି ନ ଥିବା କହିଥିଲେ। ଯଦି କୌଣସି ଅଘଟଣ ଘଟିଥାନ୍ତା ଏଥିପାଇଁ କିଏ ଦାୟୀ ରହିଥାନ୍ତା ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି। କିଛିମାସ ତଳେ ନୟାଗଡ଼ ସଦର ବ୍ଲକ ବାଲୁଗାଁ ଅଞ୍ଚଳର ଏକ ଦୋକାନରେ ଥିବା ସ୍ନାକ୍ସ (କୁର୍‌କୁରେ) ପ୍ୟାକେଟରେ ଆଗୁଆ ତାରିଖ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହାକୁ ଖାଇ କେତେଜଣ ଭଲ ଲାଗୁ ନ ଥିବା ପ୍ରକାଶ କରିଥିଲେ। ଏହାର ଏକ ଭିଡିଓ ମଧ୍ୟ ସୋସିଆଲ୍‌ ମିଡିଆରେ ଶେୟାର ହୋଇଥିଲା। ଜିଲା ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଚଢ଼ାଉ ହେଉ ନ ଥିବାରୁ ଏଭଳି ଘଟଣା ବାରମ୍ବାର ଘଟୁଥିବା କୁହାଯାଉଛି। ଏ ସମ୍ପର୍କରେ ଜିଲା ଖାଦ୍ୟ ନିରାପତ୍ତା ଅଧିକାରୀ ନିବେଦିତା ଭଟ୍ଟଙ୍କୁ ଫୋନ୍‌ରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ରିସିଭ୍‌ କରି ନ ଥିଲେ।