Categories: ଖେଳ

ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ଏକାଦଶରେ ପୁନମ ଏକମାତ୍ର ଭାରତୀୟ

ଦୁବାଇ,୯।୩- ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ର ପରି ସମାପ୍ତି ଘଟିବା ପରେ ଇଭେଣ୍ଟର ଶ୍ରେଷ୍ଠ ଏକାଦଶ ଖେଳାଳିଙ୍କ ନାମ ପ୍ରକାଶ କରାଯାଇଛି। ଏକମାତ୍ର ଭାରତୀୟ ଭାବେ ପୁନମ ଯାଦବ ଦଳରେ ସ୍ଥାନ ପାଇଛନ୍ତି। ଭାରତୀୟ ଟିନଏଜ ସେନସେଶନ ଶୈଫାଳି ବର୍ମାଙ୍କୁ ଦ୍ୱାଦଶ ଖେଳାଳି ଭାବେ ସାମିଲ କରାଯାଇଛି। ଦଳରେ ଚାମ୍ପିୟନ ଅଷ୍ଟ୍ରେଲିଆ ଦଳର ସର୍ବାଧିକ ୫ ଜଣ ଖେଳାଳିଙ୍କୁ ସାମିଲ କରାଯାଇଛି। ସେମାନେ ହେଲେ ଏଲିସା ହିଲିି, ବେଥ ମୁନୀ, ମେଗ ଲାନ୍ନିଂ, ଜେନ ଜୋନାସେନ ଓ ମେଗାନ ସ୍କଟ। ଭାରତ ବିପକ୍ଷ ଫାଇନାଲରେ ହେଲି ଓ ମୁନୀ ଲମ୍ବା ଅର୍ଦ୍ଧଶତକୀୟ ଇନିଂସ ଖେଳି ଦଳ ପାଇଁ ବଡ଼ ସ୍କୋରର ମୂଳଦୁଆ ପକାଇଥିଲେ। ପରେ ପେସର ସ୍କଟ ୪ ଉଇକେଟ ନେଇ ଦଳର ବିଜୟ ସୁନିଶ୍ଚିତ କରିଥିଲେ। ବିଶ୍ୱକପ୍‌ ଏକାଦଶରେ ଇଂଲଣ୍ଡର ୪ ଖେଳାଳି ରହିଛନ୍ତି। ଏହି ଦଳର ଖେଳାଳିଙ୍କୁ ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ଇଆନ ବିଶପ, ଅଞ୍ଜୁମ ଚୋପ୍ରା, ଲିସା ଷ୍ଟାଲେକର, ଜର୍ନାଲିଷ୍ଟ ରଫ ନିକୋଲସନ ଓ ଆଇସିସି ପ୍ରତିନିଧି ହୋଲି କଲିଭନ ଚୟନ କରିଛନ୍ତି। ପୂରା ଇଭେଣ୍ଟରେ ଲେଗ୍‌ ସ୍ପିନର ପୁନମ ଲିଗ୍‌ ପର୍ଯ୍ୟାୟରେ ମୋଟ ୯ ଉଇକେଟ ନେଇଥିଲେ। ସେହିଭଳି ୧୬ ବର୍ଷୀୟା ବର୍ମା ୧୫୮.୨୫ ଆଭରେଜରେ ୧୬୩ ରନ୍‌ କରି ସଭିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

Share