ଆଇସିଜେ ଯିବ ପାକିସ୍ତାନ

ଇସ୍‌ଲାମାବାଦ,୨୧ା୮(ପି.ଟି.)- ଜମ୍ମୁ-କଶ୍ମୀରରୁ ଭାରତ ସ୍ବତନ୍ତ୍ର ପାହ୍ୟା ପ୍ରତ୍ୟାହାର କରିବାର ଦୁଇ ସପ୍ତାହ ପରେ ପାକିସ୍ତାନ ଏହି ପ୍ରସଙ୍ଗରେ ଅନ୍ତର୍ଜାତୀୟ ଅଦାଲତ (ଆଇସିଜେ)ଙ୍କ ଦ୍ୱାରସ୍ଥ ହେବାକୁ ଯାଉଛି। ପାକିସ୍ତାନର ବହିର୍ବ୍ୟାପାର ମନ୍ତ୍ରୀ ଶାହ ମେହମୁଦ୍‌ କୁରେଶୀ ମଙ୍ଗଳବାର ଏକ ଟିଭି ଚ୍ୟାନେଲ୍‌କୁ ସାକ୍ଷାତ୍‌କାରରେ ଏହି ସୂଚନା ଦେଇଛନ୍ତି। ପ୍ରକାଶ ଯେ, ଅଗଷ୍ଟ ୫ରେ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ। ଏହାର ଦିନକ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଏହି ପ୍ରସଙ୍ଗକୁ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି) ସମେତ ସମସ୍ତ ଅନ୍ତର୍ଜାତୀୟ ମଞ୍ଚରେ ଉଠାଯିବ ବୋଲି ସେଠାକାର ପାର୍ଲାମେଣ୍ଟର ଜରୁରୀ ଅଧିବେଶନରେ କହିଥିଲେ। ପାକିସ୍ତାନର ଅନୁରୋଧକ୍ରମେ ଚାଇନା କଶ୍ମୀର ପ୍ରସଙ୍ଗକୁ ଶୁକ୍ରବାର ୟୁଏନ୍‌ଏସ୍‌ସିକୁ ଟାଣିଥିଲା। ସେଠାରେ ଅନୌପଚାରିକ ଆଲୋଚନା ବେଳେ ପାକିସ୍ତାନକୁ ଚାଇନା ବ୍ୟତୀତ କୌଣସି ରାଷ୍ଟ୍ର ସମର୍ଥନ କରି ନ ଥିଲେ। ଫଳରେ ଏବେ ଆଇସିଜେରେ ଫେରାଦ ହେବା ପାଇଁ ପାକିସ୍ତାନ ପ୍ରସ୍ତୁତ ହେଉଛି।

Share