Categories: ଖେଳ

ଆଇବିଏସ୍‌ଏଫ୍‌ ସ୍ନୁକର ଚାମ୍ପିୟନଶିପ୍‌: ଆଡଭାନୀ- ମେହେରା ଚାମ୍ପିୟନ

ମଣ୍ଡାଲେ (ମ୍ୟାନମାର), ୨୫।୯(ପିଟି): ଏଠାରେ ଚାଲିଥିବା ଆଇବିଏସ୍‌ଏଫ୍‌ ବିଶ୍ୱ ଟିମ୍‌ ସ୍ନୁକର ଚାମ୍ପିୟନଶିପ୍‌ରେ ପଙ୍କଜ ଆଡଭାନୀ ଓ ଆଦିତ୍ୟ ମେହେରାଙ୍କୁ ନେଇ ଗଠିତ ଭାରତୀୟ ଯୋଡି ଟାଇଟଲ ହାସଲ କରିଛି। ବୁଧବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ଏହି ଯୋଡି ୫-୨ରେ ଥାଇଲାଣ୍ଡର ୨ ନମ୍ବର ଦଳକୁ ପରାସ୍ତ କରି ଚାମ୍ପିୟନ ହୋଇଛି। ଏଥିସହିତ ଆଡଭାନୀ କ୍ୟାରିୟର ୨୩ତମ ବିଶ୍ୱ ଟାଇଟଲ ହାସଲ କରିଛନ୍ତି। ଅନ୍ୟପଟେ ଆଦିତ୍ୟ ତାଙ୍କର ପ୍ରଥମ ବିଶ୍ୱ ଟାଇଟଲ ଅର୍ଜନ କରିଛନ୍ତି। ଗତ ସପ୍ତାହାରେ ଅଡଭାନୀ ଏଠାରେ ଓ୍ବାଲର୍‌ଡ ବିଲିୟାଡର୍‌ସ ଟାଇଟଲ ଜିତିଥିଲେ। ଫାଇନାଲରେ ୧ ନମ୍ବର ଭାରତୀୟ ଯୋଡି ୬୫-୩୧, ୯- ୬୯, ୭୪-୮, ୨୧- ୬୪, ୫୫-୪୪, ୭୨-୨୩, ୮୩-୯ରେ ବିଜୟୀ ହୋଇଛି। ବୁଧବାର ଅନୁଷ୍ଠିତ ସେମିଫାଇନାଲ ମ୍ୟାଚ୍‌ରେ ଏହି ଯୋଡି ୪-୧ରେ ଥାଇଲାଣ୍ଡକୁ ହରାଇ ଫାଇନାଲକୁ ଉଠିଥିଲେ। ଆଡଭାନୀ ଓ ମେହେରା କ୍ୱାର୍ଟର ଫାଇନାଲରେ ହଂକଂକୁ ହରାଇ ସେମିକୁ ଉଠିଥିଲେ। ସେମିରେ ଏହି ଯୋଡି ଥାଇଲାଣ୍ଡର ଥାନାଓ୍ବତ ଟିରାପେଙ୍ଗପାଇବୁନ ଓ କ୍ରିଟସାନଟ ଲେର୍ଟସାଟ୍ଟାୟାଥୋର୍ନଙ୍କୁ ହରାଇଥିଲେ। ଆଡଭାନୀ ଏବେ ଅକ୍ଟୋବର ପ୍ରଥମ ସପ୍ତାହରେ ଅଷ୍ଟ୍ରେଲିଆ ଗସ୍ତ କରି ଓ୍ବାଲର୍‌ଡ ବିଲିୟାଡର୍‌ସ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିବେ। ଏହି ବିଜୟରେ ଉଭୟ ଆଡଭାନୀ ଓ ମେହେରା ଖୁସି ଜାହିର କରିଛନ୍ତି।

Share