Categories: ବାଣିଜ୍ୟ

ଆଇବିଏମ୍‌ଠାରୁ ବଡ଼ କମ୍ପାନୀ ହେଲା ଟିସିଏସ୍‌

ନୂଆଦିଲ୍ଲୀ,୧୨ା୬: ଦେଶର ଶୀର୍ଷ ଆଇଟି ସେବା ପ୍ରଦାନକାରୀ କମ୍ପାନୀ ଟାଟା କନସଲଟାନ୍ସି ସର୍ଭିସ(ଟିସିଏସ୍‌) ବିଶ୍ୱର ଶୀର୍ଷ କମ୍ପାନୀମାନଙ୍କ ମଧ୍ୟରେ ଅନ୍ୟତମ ଆଇବିଏମ୍‌କୁ ବଜାର ପୁଞ୍ଜୀକରଣରେ ପଛରେ ପକାଇ ଏକ ନମ୍ବର ସ୍ଥାନକୁ ଉଠିଆସିଛି। ସୋମବାର ଟିସିଏସ୍‌ର ବଜାର ପୁଞ୍ଜୀକରଣ ୮.୩୭ ଲକ୍ଷ କୋଟି ଟଙ୍କା(୧୨୦୫୦ କୋଟି ଡଲାର) ହୋଇଥିବା ବେଳେ ଆଇବିଏମ୍‌ର ବଜାର ପୁଞ୍ଜୀକରଣ ୮.୩୨ ଲକ୍ଷ କୋଟି ଟଙ୍କା (୧୧୯୬୦ କୋଟି ଟଙ୍କା) ହୋଇଛି। ଏଥିପୂର୍ବରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜକୁ ଟିସିଏସ୍‌ ପଛରେ ପକାଇ ଦେଇଥିଲା। ରିଲାଏନ୍ସର ବଜାର ପୁଞ୍ଜୀକରଣ ୮.୩୬ ଲକ୍ଷ କୋଟି ଟଙ୍କା ଥିଲା। ସୂଚନାଥାଉ କି, ଆଇବିଏମ୍‌ ୧୯୫୦ରେ ଭାରତରେ ପ୍ରବେଶ କରିଥିଲା। ତେବେ ୧୯୭୦ରେ କମ୍ପାନୀକୁ ଦେଶ ଛାଡ଼ିବାକୁ ପଡିଥିଲା। ୧୯୯୨ରେ ଟାଟା ଗ୍ରୁପ୍‌ ସହ ପାର୍ଟନରଶିପ୍‌ କରି ଏହା ପୁନର୍ବାର ଦେଶକୁ ଫେରିଆସିଥିଲା। ପୁନର୍ବାର ୧୯୯୭ରେ ଆଇବିଏମ୍‌ ପାର୍ଟନରଶିପ୍‌ରୁ ବାହାରି ଆସି ନିଜେ ସ୍ବତନ୍ତ୍ର ଭାବେ ବ୍ୟବସାୟ ଆରମ୍ଭ କରିଛି।

Share