Categories: ଖେଳ

ଆଇପିଏଲ୍‌ ୨୦୨୦: ମୁମ୍ବାଇ ପାଇଁ ଖେଳିବେ ବୋଲ୍ଟ

ନୂଆଦିଲ୍ଲୀ, ୧୩।୧୧ (ପି.ଟି.): ନ୍ୟୁଜିଲାଣ୍ଡ ବାମହାତୀ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମୀ ୨୦୨୦ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିବେ। ସେହିଭଳି ଉତ୍ତର ପ୍ରଦେଶ ଯୁବ ବୋଲର ଅଙ୍କିତ ରାଜପୁତ ରାଜସ୍ଥାନ ରୟାଲ୍ସ ପକ୍ଷରୁ ପ୍ରତିନିଧିତ୍ୱ କରିବେ। ଉଭୟ ଖେଳାଳି ସେମାନଙ୍କ ଫ୍ରାଞ୍ଚାଇଜ ଦ୍ୱାରା ବୁଧବାର ସଫଳତାପୂର୍ବକ ଅଦଳ ବଦଳ କରାଯିବା ପରେ ଏହା ସ୍ପଷ୍ଟ ହୋଇଛି। ଆଇପିଏଲ୍‌ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ବୋଲ୍ଟ ତାଙ୍କ ବର୍ତ୍ତମାନର ଟିମ୍‌ ଦିଲ୍ଲୀ କ୍ୟାପିଟାଲ୍ସ ଦ୍ୱାରା ଅଦଳବଦଳ ହେବା ଫଳରେ ଆଗାମୀ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିବେ। ସେହିଭଳି ରାଜପୁତ କିଙ୍ଗ୍ସ ଇଲେଭେନ ଦ୍ୱାରା ସଫଳତା ପୂର୍ବକ ଅଦଳବଦଳ ହୋଇଛନ୍ତି। ୨୦୧୪ରେ ବୋଲ୍ଟ ଆଇପିଏଲ୍‌ ପଦାର୍ପଣ କରିଥିଲେ। ୨୦୧୮ ଓ ୨୦୧୯ ସିଜନ ପାଇଁ ସେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳି ୩୩ ମ୍ୟାଚ୍‌ରୁ ୩୮ ଉଇକେଟ୍‌ ହାସଲ କରିଛନ୍ତି। ଅପରପକ୍ଷରେ ରାଜପୁତ ୨୦୧୮ରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ପକ୍ଷରୁ ପଦାର୍ପଣ କରିଥିଲେ। ସେ ୨୩ ଆଇପିଏଲ୍‌ ମ୍ୟାଚ୍‌ ଖେଳି ୨୨ ଉଇକେଟ୍‌ ନେଇଛନ୍ତି। ୨୦୧୮ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୧୪ ରନ ବିନିମୟରେ ୫ ଉଇକେଟ୍‌ ହାସଲ କରିବା ରାଜପୁତଙ୍କ ପାଇଁ ବେଶ୍‌ ସ୍ମରଣୀୟ ସ୍ପେଲ୍‌ ରହିଥିଲା।

Share