Categories: ଖେଳ

ଆଇପିଏଲ୍‌ ସ୍ଥଗିତ ସମ୍ପର୍କରେ ବିସିସିଆଇର ବିଧିବଦ୍ଧ ଘୋଷଣା

ନୂଆଦିଲ୍ଲୀ, ୧୭।୪ (ପି.ଟି.)-ପରବର୍ତ୍ତୀ ସୂଚନା ଜାରି ନ ହେବା ପର୍ଯ୍ୟନ୍ତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)କୁ ସ୍ଥଗିତ ରଖାଯାଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ ଗୁରୁବାର ବିଧିବଦ୍ଧ ଘୋଷଣା କରାଯାଇଛି। ଦେଶରେ କୋଭିଡ୍‌-୧୯ ମହାମାରୀରେ ଇତିମଧ୍ୟରେ ୧୨,୦୦୦ ଜଣ ସଂକ୍ରମିତ ହୋଇସାରିଛନ୍ତି। ୪୦୦ ଜଣଙ୍କର ପ୍ରାଣହାନି ଘଟିସାରିଛି। ଟୁର୍ନାମେଣ୍ଟର ୧୩ତମ ସଂସ୍କରଣକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚାଇ ଦିଆଯିବା ସମ୍ପର୍କରେ ଗତ ୧୪ ତାରିଖରେ ୮ଟି ଫ୍ରାଞ୍ଚାଇଜ୍‌ ସମେତ ଅନ୍ୟ ଅଂଶୀଦାରମାନଙ୍କୁ ଅବଗତ କରାଯାଇଥିବା ଭାରତୀୟ କ୍ରିକେଟ ବୋର୍ଡ ସୂଚନା ଦେଇଥିଲା। ତେବେ ଏନେଇ ବିଧିବଦ୍ଧ ଘୋଷଣା ଗୁରୁବାର କରାଯାଇଛି। ପରବର୍ତ୍ତୀ ସୂଚନା ଜାରି ନ ହେବା ପର୍ଯ୍ୟନ୍ତ ଏହି ବ୍ୟୟ ବହୁଳ ଟି୨୦ ଟୁର୍ନାମେଣ୍ଟକୁ ସ୍ଥଗିତ ରଖିବା ଲାଗି ଆଇପିଏଲ୍‌ ଗଭର୍ନିଂ କାଉନ୍‌ସିଲ ଓ ବିସିସିଆଇ ମିଳିତ ଭାବେ ନିଷ୍ପତ୍ତି ନେଇଥିବା ବିସିସିଆଇ ସମ୍ପାଦକ ଜୟ ଶାହା ଏକ ବିବୃତିିରେ ପ୍ରକାଶ କରିଛନ୍ତି।

Share