Categories: ଖେଳ

ଆଇପିଏଲ୍‌: ବର୍ଣ୍ଣବୈଷମ୍ୟ ଆକ୍ଷେପ ନେଇ ସାମିଙ୍କ ଅଭିଯୋଗ

କିଙ୍ଗଷ୍ଟନ,୭।୬(ପି.ଟି.): ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ମଧ୍ୟ ବର୍ଣ୍ଣବୈଷମ୍ୟ ଆକ୍ଷେପ ଭଳି କଳଙ୍କ ରହିଛି। ଏକଥା ବିଶ୍ୱାସ ନ ହେଲେ ବି ସତ ବୋଲି ଓ୍ବେଷ୍ଟଇଣ୍ଡିଜ ପୂର୍ବତନ ଅଧିନାୟକ ଡାରେନ୍‌ ସାମିଙ୍କ ଅଭିଯୋଗରୁ ସ୍ପଷ୍ଟ ହୋଇଛି। ଆଇପିଏଲ୍‌ ଖେଳିବା ବେଳେ ବର୍ଣ୍ଣବୈଷମ୍ୟ ଆକ୍ଷେପର ଶିକାର ହୋଇଛି ବୋଲି ସେ ଅଭିଯୋଗ ଆଣିଛନ୍ତି। ସନ୍‌ ରାଇଜର୍ସ ହାଇଦ୍ରାବାଦ୍‌ ପକ୍ଷରୁ ଆଇପିଏଲ୍‌ ଖେଳିବା ବେଳେ ଏହାର ଶିକାର ହୋଇଛି ବୋଲି ସେ କହିଛନ୍ତି।
କିଛିଦିନ ତଳେ ଆମେରିକାରେ ୪୬ ବର୍ଷୀୟ ଜର୍ଜ ଫ୍ଲଏଡ୍‌ ନାମକ ଜଣେ କୃଷ୍ଣକାୟ ବ୍ୟକ୍ତିଙ୍କୁ ଜଣେ ଗୋରା ପୋଲିସ ନିର୍ମମ ଭାବେ ହତ୍ୟା କରିଥିଲେ। ଏହାପରେ ଅମେରିକା ତଥା ସାରା ବିଶ୍ୱରେ ବର୍ଣ୍ଣବୈଷମ୍ୟ ନେଇ ପ୍ରତିବାଦ, ବିକ୍ଷୋଭ ତଥା ଆନ୍ଦୋଳନ ଦେଖାଦେଇଥିଲା। ‘ବ୍ଲାକ ଲାଇଭ୍ସ ମ୍ୟାଟର’ ନାମକ ଏକ ଅଭିଯାନ ଆରମ୍ଭ ହୋଇଥିଲା। ଏହି ଅଭିଯାନ ସମର୍ଥନ କରି ସାମି ବର୍ଣ୍ଣବୈଷମ୍ୟ ଆକ୍ଷେପ କଥା କହିଛନ୍ତି। ଆଇପିଏଲ୍‌ ଖେଳିବା ବେଳେ ସେମାନେ ମୋତେ ଓ ଶ୍ରୀଲଙ୍କାର ଥିସାରା ପେରେରାଙ୍କୁ ‘କାଲୁ’ ବୋଲି ସମ୍ବୋଧନ କରୁଥିଲେ। ଏହାର ଅର୍ଥ ଦୃଢ଼ ବା ଶକ୍ତିମାନ ଘୋଡ଼ା ବୋଲି ଭାବିଥିଲି। କିନ୍ତୁ ଯେତେବେଳେ ଏହି ଶବ୍ଦର ଅର୍ଥ ଜାଣିବାକୁ ପାଇଥିଲି ସେତେବେଳେ ରାଗିଯାଇଥିଲି ବୋଲି ସାମି କହିଛନ୍ତି। ଏ ନେଇ ଏକ ସ୍କ୍ରିନ୍‌ ଶଟ୍‌ ଭାଇରାଲ ହୋଇଛି ଓ ଏହା ସାମିଙ୍କ ମୋବାଇଲର ବୋଲି କୁହାଯାଉଛି।
ଏହାପୂର୍ବରୁ କ୍ରିସ୍‌ ଗେଲ, ଆନ୍ଦ୍ରେ ରସେଲଙ୍କ ଭଳି ଖେଳାଳି ମଧ୍ୟ ବର୍ଣ୍ଣବୈଷମ୍ୟ ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ତେବେ କେବେ ସେ ଏଭଳି ସ୍ଥିତିର ସମ୍ମୁଖୀନ ହୋଇଥିଲେ ସେ ନେଇ ସାମି କିଛି କହିନାହାନ୍ତି। ବର୍ଣ୍ଣବୈଷମ୍ୟ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ସେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)କୁ ନିବେଦନ କରିଛନ୍ତି। ଆଇସିସି ସମେତ ଅନ୍ୟ ଦେଶର ବୋର୍ଡଗୁଡିକ ସାମାଜିକ ନ୍ୟାୟ ପ୍ରଦାନ ନେଇ ଦୃଷ୍ଟାନ୍ତମୂଳକ କାର୍ଯ୍ୟପନ୍ଥା ଗ୍ରହଣ କିରବାର ଆବଶ୍ୟକତା ରହିଛି ବୋଲି ସାମି ଟୁଇଟ୍‌ କରି ଉଲ୍ଲେଖ କରିଛନ୍ତି। ଓ୍ବେଷ୍ଟଇଣ୍ଡିଜ ତରଫରୁ ସାମି ୩୮ ଟେଷ୍ଟ, ୧୨୬ ଦିନିକିଆ ଓ ୬୮ ଟି୨୦ ମ୍ୟାଚ୍‌ ଖେଳିଛନ୍ତି।

Share