Categories: ଖେଳ

ଆଇପିଏଲ୍‌ ପାଇଁ ଅଯୋଗ୍ୟ ପ୍ରବୀଣ ତାମ୍ବେ

ମୁମ୍ବାଇ,୧୩।୧- ଭେଟେରାନ ସ୍ପିନର ପ୍ରବୀଣ ତାମ୍ବେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୩ତମ ସଂସ୍କରଣରେ ଖେଳିପାରିବେ ନାହିଁ। ସେ ଦେଶର କୌଣସି ଟୁର୍ନାମେଣ୍ଟରେ ଖେଳିବା ପାଇଁ ଅଯୋଗ୍ୟ। ସେ ବିଦେଶୀ ଲିଗ୍‌ରେ ଖେଳି ବିସିସିଆଇ ନିୟମ ଭଙ୍ଗ କରିଛନ୍ତି। ଅଫିସିଆଲ ଅବସର ଘୋଷଣା ନ କରି ସେ ଦୁବାଇ ଓ ଶାରଜାଠାରେ ଟି୧୦ ଲିଗ୍‌ରେ ଖେଳିଥିଲେ। ତାମ୍ବେ ଅଯୋଗ୍ୟ ନେଇ ଆଇପିଏଲ ଅଧ୍ୟକ୍ଷ ବ୍ରିଜେଶ ପଟେଲ ସ୍ପଷ୍ଟ କହିଛନ୍ତି। ୪୮ ବର୍ଷୀୟ ତାମ୍ବେ ଆଇପିଏଲ ନିଲାମ ପ୍ରକ୍ରିୟାରେ ସବୁଠୁ ବୟ୍ୟୋଜ୍ୟେଷ୍ଠ ଖେଳାଳି ଭାବେ ବିକ୍ରି ହୋଇଥିଲେ। ତାଙ୍କୁ ୨୦ ଲକ୍ଷ ଟଙ୍କାରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) କିଣିଥିଲା। ସେ ଏପର୍ଯ୍ୟନ୍ତ ୩୩ ଆଇପିଏଲ ମ୍ୟାଚ୍‌ ଖେଳିସାରିଛନ୍ତି। ସମସ୍ତ ମ୍ୟାଚ୍‌ ୨୦୧୩ରୁ ୨୦୧୬ ମଧ୍ୟରେ ରାଜସ୍ଥାନ ରୟାଲ୍ସ, ଗୁଜରାଟ ଲାୟନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳିଥିଲେ। ମୋଟ ୨୮ ଉଇକେଟ ନେଇଛନ୍ତି। ତନ୍ମଧ୍ୟରୁ ୧୪ ଉଇକେଟ ସେ କେବଳ ୨୦୧୪ ସିଜନରେ ନେଇଥିଲେ। ଏଭଳି ପରିସ୍ଥିତି ଯୋଗୁ କେକେଆର ଦଳକୁ ବର୍ତ୍ତମାନ ତାମ୍ବେଙ୍କ ବଦଳ ଖେଳାଳି ବାଛିବାକୁ ପଡ଼ିବ। ନିକଟରେ ହରଭଜନ ସିଂ ଏକମାତ୍ର ଭାରତୀୟ ଭାବେ ଇଂଲଣ୍ଡର ନୂଆ ଫର୍ମାଟର ଲିଗ୍‌ ‘ଦ ହଣ୍ଡ୍ରେଡ’ରେ ଖେଳାଳିଙ୍କ ତାଲିକାରେ ସ୍ଥାନ ପାଇଥିଲେ। ୨୦୧୬ଠାରୁ ଭାରତୀୟ ଦଳ ପାଇଁ ଖେଳି ନ ଥିଲେ ମଧ୍ୟ ଡ୍ରାଫ୍ଟ ପୂର୍ବରୁ ନାମ ପ୍ରତ୍ୟାହ୍ୟାର କରିନେଇଥିଲେ। ସେ ଏବେ ଆଇପିଏଲରେ ସିଏସ୍‌କେ ପାଇଁ ଖେଳୁଛନ୍ତି। ଅନ୍ୟପକ୍ଷରେ ଅବସର ଘୋଷଣା କରିବା ପରେ ଯୁବରାଜ ସିଂ ବିଭିନ୍ନ ଦେଶର ଲିଗ୍‌ରେ ଅଂଶଗ୍ରହଣ କରୁଛନ୍ତି।

Share