ଆଇନଜୀବୀ, ଭାଜପା ଯୁବ ନେତାଙ୍କୁ ପୋଲିସର ମାଡ଼: ଏସ୍‌ଆଇଙ୍କ ବିରୋଧରେ ଦୁଇ ପୃଥକ୍‌ ମାମଲା

ଆନନ୍ଦପୁର,୨୫।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଥାନାରେ ରାମଚନ୍ଦ୍ରପୁର ଥାନା ଏସ୍‌ଆଇ ବିଶ୍ୱଜିତ୍‌ ବେହେରାଙ୍କ ନାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଟି ମାମଲା ରୁଜୁ ହୋଇଛି। ଆନନ୍ଦପୁର ଥାନା କେସ୍‌ ନଂ.୫୧/୨୦ ଅନୁଯାୟୀ ଶାଳବଣି ଭାଜପା ମଣ୍ଡଳ ସଭାପତି ଟୁକୁନା ମହାନ୍ତ ଏସ୍‌ଆଇ ବେହେରାଙ୍କ ନାମରେ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି।
ସେହିପରି ଥାନା କେସ୍‌ ନଂ.୫୨/୨୦ରେ ଆଇନଜୀବୀ ଭଗବାନ ମଲ୍ଲିକଙ୍କ ଅଭିଯୋଗକୁ ଆଧାରକରି ଆନନ୍ଦପୁର ପୋଲିସ ଏସ୍‌ଆଇ ବେହେରାଙ୍କ ନାମରେ ଆଉ ଏକ ମାମଲା ରୁଜୁ କରିଛି। ସୂଚନାଯୋଗ୍ୟ, ଆଇନଜୀବୀ ମଲ୍ଲିକଙ୍କ ଅଭିଯୋଗ ଅନୁଯାୟୀ ସେ କୋର୍ଟ କାର୍ଯ୍ୟସାରି ଅପରାହ୍ନରେ ନିଜ ବାସଭବନକୁ ଫେରିବା ସମୟରେ ତାଙ୍କୁ ରାମଚନ୍ଦ୍ରପୁର ଥାନା ଏସ୍‌ଆଇ ବିଶ୍ୱଜିତ ବେହେରା ଏବଂ ୫ରୁ ୬ଜଣ ପୋଲିସ କର୍ମଚାରୀ ବ୍ରଜ୍‌ଛକ ନିକଟ ଏକ ଗ୍ରୋସରି ଦୋକାନ ପାଖରେ ମାଡ଼ ମାରିବା ସହ ଗାଡ଼ିରେ ବସାଇ ନେଇଯାଇଥିଲେ। ପରେ ତାଙ୍କ ମୁହଁରେ କପଡ଼ା ବାନ୍ଧି ଏକ ନିର୍ଜନ ଜାଗାରେ ଛାଡିଥିଲେ। ଏହି ଘଟଣାକୁ ନେଇ ମଙ୍ଗଳବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଓକିଲ ସଂଘ ସଭାପତି ସଞ୍ଜୟ ମିଶ୍ରଙ୍କ ନେତୃତ୍ୱରେ ବହୁସଂଖ୍ୟାରେ ଆଇନଜୀବୀ ଆନନ୍ଦପୁର ଥାନାରେ ପହଞ୍ଚି ଘଟଣାର ତଦନ୍ତ କରିବା ସହିତ ଏସ୍‌ଆଇଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଆନନ୍ଦପୁର ଥାନା ଅଧିକାରୀ ଗଗନ ବିଶ୍ୱାଳ ଆଇନଜୀବୀଙ୍କ ଉପରେ ହୋଇଥିବା ଆକ୍ରମଣ ଓ ଅପହରଣ ସମ୍ପର୍କରେ କିଛି ଜାଣି ନ ଥିବା କହିଥିଲେ। ଅନ୍ୟପକ୍ଷରେ ଆନନ୍ଦପୁର ଏସ୍‌ଡିପିଓ ବିଦ୍ୟୁତ୍‌ ଚନ୍ଦ୍ର ପଣ୍ଡା କହିଛନ୍ତି ଯେ, ଏସ୍‌ଆଇ ବେହେରାଙ୍କ ନାମରେ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ। ସେହିଭଳି ଭାଜପା ନଗର ମଣ୍ଡଳ ସଭାପତି ଟୁକୁନା ମହାନ୍ତ କରୋନା ମୁକାବିଲାର ସମସ୍ତ ପ୍ରସ୍ତୁତି ପୋଷାକରେ ଥାଇ ବ୍ରିଜ୍‌ଛକର ଏକ ମେଡିସନ ଷ୍ଟୋରକୁ ଔଷଧ ନେବାକୁ ଆସିଥିବା ସମୟରେ ଜଣେ ଆଇନଜୀବୀଙ୍କୁ ପୋଲିସ ମାଡ଼ ମାରୁଥିବା ଦେଖି ସେଠାକୁ ଆସିଥିଲେ। ଏହି ଘଟଣାରେ ଏସ୍‌ଆଇ ବେହେରା ଦଳୀୟ ଆକ୍ଷେପମୂଳକ ମନ୍ତବ୍ୟ ଦେବା ସହିତ ତାଙ୍କୁ ମଧ୍ୟ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ଆନନ୍ଦପୁର ଅଞ୍ଚଳରେ ଚାପା ଉତ୍ତେଜନା ଲାଗିରହିଛି। କରୋନା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିବାରୁ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି।