ଆଇନଜୀବୀ ଦୀପାଳି ମୃତ୍ୟୁ ଘଟଣା:ଘଟଣା ଦିନ ପ୍ରେମିକଙ୍କ ସହ ଚିକେନ ଖାଇ ଲୁଡୁ ଖେଳିଥିଲେ

ଭୁବନେଶ୍ୱର, ୨୩-୧୦(ବ୍ୟୁରୋ):ଆଇନଜୀବୀ ଦୀପାଳି ମୃତ୍ୟୁ ଘଟଣା ଦିନକୁ ଦିନ ଅଧିକ ରହସ୍ୟ ଘେରକୁ ଟାଣି ହୋଇଯାଉଛି। ଦୀପାଳି ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ସେନେଇ ଲାଗିରହିଛି ସସ୍‌ପେନ୍ସ। ଏହି କ୍ରମରେ ମଙ୍ଗଳବାର ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି। ଘଟଣା ଦିନ ଦୀପାଳି ଓ ତାଙ୍କ ପ୍ରେମିକ ବିକ୍ରମ କେଶରୀ ମିଶ୍ର ଦୋକାନରୁ ଚିକେନ୍‌ ଆଣି ରୋଷେଇ କରିଥିଲେ। ଦୁହେଁ ଖୁସିରେ ଖାଇବା ପରେ ଲୁଡୁ ଖେଳିଥିଲେ। କାରଣ ଉକ୍ତଦିନ ରାତି ପ୍ରାୟ ୯ଟାରେ ତାଙ୍କ ସାନ ଭଉଣୀ ଫୋନ୍‌ କରିବା ବେଳେ ଉଭୟେ ଲୁଡୁ ଖେଳୁଥିବା ଦୀପାଳି କହିଥିଲେ। ଏପରି କି ନିଜ ବାହାଘର ପାଇଁ ଏକ ଖାତାରେ ଭୋଜିର ତାଲିକା ପ୍ରସ୍ତୁତ କରୁଥିବା କହିଥିଲେ। ଏଥିରୁ ଦୀପାଳି କୌଣସି ଭାରାକ୍ରାନ୍ତ ନ ଥିବା ଭଳି ଲାଗୁଥିଲା ବୋଲି ସାନ ଭଉଣୀ କହିଛନ୍ତି। ମୃତ୍ୟୁ ପୂର୍ବରୁ ଦୀପାଳି ପିନ୍ଧିଥିବା ଚୁଡ଼ିର ଭଙ୍ଗାଅଂଶ ଘର ବାହାରେ ପଡ଼ିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ। ଏହି ଭଙ୍ଗାଚୁଡ଼ିକୁ ମଙ୍ଗଳବାର ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ତଦନ୍ତ କରିବା ବେଳେ ଜବତ କରିଛି। ଘର ଭିତର ଓ ବାହାର ସବୁ ସ୍ଥାନକୁ ଟିକିନିଖି ଯାଞ୍ଚ କରାଯାଇଛି। ସେହିପରି ବିକ୍ରମଙ୍କୁ ଧରିବା ପାଇଁ କମିଶନରେଟ ପୋଲିସର ୩ଟି ଟିମ୍‌ ବାଲେଶ୍ୱର, ଭଦ୍ରକ ଓ ରାଜଧାନୀର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁ କହିଛନ୍ତି ବିକ୍ରମ ଧରାପଡ଼ିଲେ ଏହି ଘଟଣାର ଅନେକ ତଥ୍ୟ ପର୍ଦ୍ଦାଫାଶ ହୋଇପାରିବ।
ଦୀପାଳିଙ୍କ ବଡ ଭଉଣୀ କହିଛନ୍ତି, ବିକ୍ରମ ହିଁ ଦୀପାଳିଙ୍କୁ ହତ୍ୟା କରିଛନ୍ତି, ନହେଲେ ତାକୁ ମରିବା ପାଇଁ ବାଧ୍ୟ କରିଛନ୍ତି। ତେଣୁ ବିକ୍ରମଙ୍କୁ ଉପଯୁକ୍ତ ଶାସ୍ତି ମିଳିବା ଦରକାର। ସେହିପରି ସାନ ଭଉଣୀ ଶେଫାଳି କହିଛନ୍ତି, ସେଦିନ ଦୀପାଳି ସାଥିରେ ବିକ୍ରମ ଥିଲେ। ବାରମ୍ବାର ଫୋନ୍‌ କରିଥିଲେ ମଧ୍ୟ ଉଠାଇ ନ ଥିଲେ। ମାତ୍ର ରାତି ୧. ୩୦ରେ ଦୀପାଳି ଆତ୍ମହତ୍ୟା କରିଥିବା ଜଣାଇଥିଲେ। ଦୀପାଳି ଆଇନଜୀବୀ ହୋଇଥିବାରୁ ମାନସିକ ଭାବେ ବେଶ୍‌ ଦୃଢ ଥିଲେ। ତେଣୁ ସେ ଆତ୍ମହତ୍ୟା କରି ନ ପାରନ୍ତି ବୋଲି ଶେଫାଳି ପ୍ରକାଶ କରିଛନ୍ତି। ଅପରପକ୍ଷେ ଦୀପାଳିଙ୍କ ମୃତ୍ୟୁରେ ମଙ୍ଗଳବାର ଭୁବନେଶ୍ୱର ବାର୍‌ ଆସୋସିଏଶନ ପକ୍ଷରୁ କୋର୍ଟ ପରିସରରେ ଶୋକସଭା କରାଯାଇ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।