Categories: ଖେଳ

ଆଇଡବ୍ଲ୍ୟୁଏଲ୍‌ ଟ୍ରଫି ଜିତିଲା ସେଥୁ ଏଫ୍‌ସି

ଲୁଧିଆନା, ୨୨।୫(ପି.ଟି.): ହିରୋ ଭାରତୀୟ ମହିଳା ଫୁଟ୍‌ବଲ ଲିଗ୍‌ (ଆଇଡବ୍ଲ୍ୟୁଏଲ୍‌)ରେ ସେଥୁ ଏଫ୍‌ସି ଚାମ୍ପିୟନ ହୋଇଛି। ସ୍ଥାନୀୟ ଗୁରୁ ନାନକ ଷ୍ଟାଡିୟମରେ ବୁଧବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ସେଥୁ ଏଫ୍‌ସି ୩-୧ ଗୋଲରେ ମଣିପୁର ପୋଲିସକୁ ପରାସ୍ତ କରିଛି। ମଦୁରାଇ ବେସଡ୍‌ ଦଳ ସେଥୁ ଏଫ୍‌ସି ପକ୍ଷରୁ ସାବିତ୍ରା ଭଣ୍ଡାରୀ ୨ଟି ଗୋଲସ୍କୋର କରି ଦଳକୁ ଚାମ୍ପୟିନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚ୍‌ର ପ୍ରଥମାର୍ଦ୍ଧ ଶେଷ ଭାଗରେ ମଣିପୁର ପକ୍ଷରୁ ରାଧାରାଣୀ ଦେବୀ ପ୍ରଥମେ ଗୋଲସ୍କୋର ଖାତା ଖୋଲିଥିଲେ। ମ୍ୟାଚ୍‌ର ୪୩ତମ ମିନିଟ୍‌ରେ ରାଧାରାଣୀ ଏହି ଗୋଲ ଦେଇ ମଣିପୁର ପୋଲିସକୁ ୧-୦ରେ ଅଗ୍ରଣୀ କରିଥିଲେ। ଫଳରେ ପ୍ରଥମାର୍ଦ୍ଧରେ ମଣିପୁର ଆଗରେ ରହିଥିଲା। କିନ୍ତୁ ଦ୍ୱିତୀୟାର୍ଦ୍ଧରେ ସେଥୁ ଏଫ୍‌ସି ମ୍ୟାଚ୍‌କୁ ନିଜ ନିୟନ୍ତ୍ରଣକୁ ଆଣିବାରେ ସଫଳ ହୋଇଥିଲା। ମ୍ୟାଚ୍‌ର ୫୬ତମ ମିନିଟ୍‌ରେ ମଣିପୁରର ଉମାପତି ଦେବୀଙ୍କ ଆତ୍ମଘାତୀ ଗୋଲବଳରେ ମ୍ୟାଚ୍‌ ୧-୧ ବରାବର୍‌ସ୍ତରକୁ ଆସିଥିଲା। ଏହାପରେ ୧୦ ମିନିଟ୍‌ ଅନ୍ତରରେ ସେଥୁ ଏଫ୍‌ସି ଫକ୍ଷରୁ ପ୍ରତିନିଧିତ୍ୱ କରୁଥିବା ନେପାଳ ଅନ୍ତର୍ଜାତୀୟ ତାରକା ସାବିତ୍ରା ୨ଟି ଗୋଲସ୍କୋର କରି ଦଳକୁ ୩-୧ରେ ଅଗ୍ରଣୀ ଦେଇଥିଲେ। ସେ ପ୍ରଥମେ ମ୍ୟାଚ୍‌ର ୬୦ତମ ଓ ପରେ ୭୦ତମ ମିନିଟ୍‌ରେ ଆଉ ଏକ ଗୋଲ ଦେଇଥିଲେ। ଏହପରେ ଆଉ କୌଣସି ଗୋଲସ୍କୋର ନ ହେବାକୁ ସେଥୁ ଏଫ୍‌ସି ସହଜସାଧ୍ୟ ବିଜୟ ଲାଭ କରି ଚାମ୍ପିୟନ ମୁକୁଟ ପିନ୍ଧିଥିଲା। ସାବିତ୍ରା ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ଏବଂ ରତ୍ନବାଳା ଇମର୍ଜି ପ୍ଲେୟାର ବିବେଚିତ ହୋଇଥିଲେ।

Share