Categories: ବାଣିଜ୍ୟ

ଆଇଟି କ୍ଷେତ୍ରରେ ଛଟେଇ ବଢ଼ିଛି

ନୂଆଦିଲ୍ଲୀ,୧୧।୬: କରୋନା ଯୋଗୁ ଲୋକଙ୍କ ରୋଜଗାର ଉପରେ ଗଭୀର ପ୍ରଭାବ ପଡିଛି। କରୋନା ଦ୍ୱାରା କେବଳ ସଙ୍ଗଠିତ କ୍ଷେତ୍ର ନିଯୁକ୍ତି ପ୍ରଭାବିତ ହୋଇନାହିଁ ବରଂ ସଙ୍ଗଠିତ କ୍ଷେତ୍ରରେ ବୃହତ୍‌ ପରିମାଣର ଲୋକଙ୍କ ଚାକିରି ଚାଲିଯାଇଛି। କୋଭିଡ୍‌-୧୯ ଦ୍ୱାରା ସାରା ବିଶ୍ୱର ଆଇଟି କ୍ଷେତ୍ର ଉପରେ ମଧ୍ୟ ପ୍ରଭାବ ପକାଇଛି। ଛଟେଇରେ ଥିବା କମ୍ପାନୀଙ୍କ ମଧ୍ୟରେ ଆଇବିଏମ୍‌ ଏବଂ କଗ୍‌ନିଜାଣ୍ଟ ଭଳି କମ୍ପାନୀ ସାମିଲ ରହିଛନ୍ତି। ରୋଜଗାର ଯିବା ପରେ ବର୍ତ୍ତମାନ ଲୋକମାନେ ନୂଆ ଚାକିରି ପାଇଁ ଚେଷ୍ଟା କରୁଛନ୍ତି। ଗତ ତିନି ସପ୍ତାହରେ ହଜାର ହଜାର ସଂଖ୍ୟାରେ ଆଇଟି ପ୍ରଫେଶନାଲ ନିଯୁକ୍ତି ପ୍ରଦାନ କରୁଥିବା ଏଜେନ୍ସିଗୁଡିକ ସହ ସମ୍ପର୍କ କରୁଛନ୍ତି। ଆଇଟି ପ୍ରଫେଶନାଲଙ୍କ ଜୁନିୟର ଲେଭଲଠାରୁ ସିନିୟର ଲେଭଲ ଯାଏ ଛଟେଇ ହୋଇଥିବା ଜଣାପଡିଛି।
ଏବିସି କନସଲଟାଣ୍ଟର ସିନିୟର ଡାଇରେକ୍ଟର ରତନ ଗୁପ୍ତା କହିଛନ୍ତି, ଗତ ୨ ସପ୍ତାହରେ ନିଯୁକ୍ତି ଆବେଦନ ପ୍ରବାହରେ ୧୦୦% ବୃଦ୍ଧି ଘଟିଛି। ଆଇଟି କମ୍ପାନୀଗୁଡିକରେ ଏବେ କୌଶଳ ପରିବର୍ତ୍ତନ ହୋଇଛି। ଯେଉଁ ଲୋକଙ୍କ ମଧ୍ୟରେ ସ୍କିଲ୍‌ ଅଭାବ ରହିଛି ସେମାନଙ୍କ ନିଯୁକ୍ତି ଉପରେ ସଙ୍କଟ ରହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ସ୍ପେଶିଆଲିଷ୍ଟ ଷ୍ଟାଫିଂ ଫାର୍ମ ଏକ୍ସଫେନୋ କହିବା ଅନୁସାରେ ସିନିୟର ଟେକ୍‌ ପ୍ରଫେଶନାଲଙ୍କ ନିଯୁକ୍ତି ଆବେଦନ କ୍ଷେତ୍ରରେ ୪୦% ବୃଦ୍ଧି ଦେଖାଯାଇଛି। ଆଇଟି କମ୍ପାନୀଗୁଡିକ ବର୍ତ୍ତମାନ ଅଟୋମେଶନ ଆଡକୁ ମୁହାଁଉଥିବା ବେଳେ କରୋନା ଏହି ଧାରାକୁ ଆହୁରି ତ୍ୱରାନ୍ବିତ କରିଛି। ଆଇଟି କମ୍ପାନୀଗୁଡିକରେ ଛଟେଇ ଜାରି ରହିବ। କମ୍ପାନୀଗୁଡିକର ଖର୍ଚ୍ଚ ପରିଚାଳନା ଠିକ୍‌ ନ ହେବା ଯାଏ ଏହି ଧାରା ଜାରି ରହିବ ବୋଲି ବିଶେଷଜ୍ଞ କହିଛନ୍ତି।
ଗୋଟିଏ ପଟେ ଛଟେଇ ବଢ଼ିଥିବା ବେଳେ ଅନ୍ୟ ପଟେ ନୂଆ ଟେକ୍ନୋଲୋଜି ଟ୍ୟାଲେଣ୍ଟଙ୍କର ଚାହିଦା ବଢିଛି। ଲକ୍‌ଡାଉନରେ ଏହି ଚାହିଦା ୨୦% ବୃଦ୍ଧି ଘଟିଥିବା ଜଣାପଡିଛି। ନାସ୍‌କମର ସିନିୟର ଭାଇସ ପ୍ରେସିଡେଣ୍ଟ ସଙ୍ଗୀତା ଗୁପ୍ତା କହିଛନ୍ତି, ଡିଜିଟାଲ ସ୍କିଲ ଲୋକମାନଙ୍କର ଚାହିଦାରେ ଆଗାମୀ ଦିନରେ ମଧ୍ୟ ରହିବ। କର୍ମଚାରୀଙ୍କୁ ସ୍କିଲ୍‌ କରିବା ଲାଗି କମ୍ପାନୀଗୁଡିକ ନିବେଶ ଜାରି ରଖିବେ।

Share