ଆଇଟିସି ମଙ୍ଗଳଦୀପ୍‌ ଅଗରବତିର ବଜାର ପ୍ରବେଶ

ପୁରୀ ଅଫିସ, ୨୯ା୬: ପବିତ୍ର ରଥଯାତ୍ରା ଅବସରରେ ଆଇଟିସିର ଅଗରବତୀ ବ୍ରାଣ୍ଡ୍‌ ମଙ୍ଗଳଦୀପ୍‌ ପକ୍ଷରୁ ଶୁକ୍ରବାର ସୁଗନ୍ଧିତ ଅଗରବତୀ ପ୍ୟାକ୍‌ର ବଜାର ପ୍ରବେଶ ହୋଇଛି। ଓଡ଼ିଶା ସରକାରଙ୍କ ଓରମାସ୍‌ ଏବଂ ଶ୍ରୀମନ୍ଦିର ପ୍ରଶାସନ ସହିତ ମିଳିତ ହୋଇ ଆଇଟିସି ଏହି ସୁଗନ୍ଧିତ ଅଗରବତୀର ବଜାର ପ୍ରବେଶ କରାଇଛି। ସ୍ଥାନୀୟ ସର୍କିଟ ହାଉସ୍‌ରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଆଇଟିସି ଅଗରବତୀ ବିଜ୍‌ନେସ ମୁଖ୍ୟ ରବି ରାୟଭରମ୍‌, ଆଇଟିସିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବି. ସୁମନ୍ତ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ସମେତ ଏହି ଅଗରବତୀ ପ୍ରସ୍ତୁତ କରିଥିବା ଗ୍ରାମୀଣ ମହିଳା ଏସ୍‌ଏଚ୍‌ଜି ଗ୍ରୁପ୍‌ ସଦସ୍ୟ ଏବଂ ଓଡ଼ିଶା ଗ୍ରାମୀଣ ବିକାଶ ତଥା ବିପଣନ ସମିତି (ଓରମାସ୍‌)ର ପଦାଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ପରେ ହୋଟେଲ ମେ ଫେୟାରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାୟଭରମ୍‌ କହିଥିଲେ ଯେ, ଏହି ଅରବତୀରେ ଦୁଇପ୍ରକାର ସୁଗନ୍ଧ ରହିଛି। ଏହା ଦୁଇଟି ଭିନ୍ନ ଭିନ୍ନ ରଙ୍ଗରେ ପ୍ୟାକ୍‌ କରାଯାଇଛି। ଏହି ସୁଗନ୍ଧ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନପସନ୍ଦ ସୁଗନ୍ଧ। ଏହାର ଦୁଇଟି ପ୍ୟାକ୍‌ ମଧ୍ୟରୁ ଉପର ପ୍ୟାକ୍‌ରେ ତୁଳସୀ ଓ ନିମ୍ବ ଏବଂ ତଳ ପ୍ୟାକ୍‌ରେ କସ୍ତୁରୀ ଓ ଚନ୍ଦନ ସୁଗନ୍ଧର ଅଗରବତୀ ରହିଛି। ନିମ୍ବ ମହାପ୍ରଭୁଙ୍କ ଶ୍ରୀବିଗ୍ରହ ନିର୍ମାଣରେ ଲାଗୁଥିବା ବେଳେ ଠାକୁରଙ୍କ ଗଳାରେ ତୁଳସୀ ମାଳା ଲାଗି ହୋଇଥାଏ। ଚନ୍ଦନ ଶ୍ରୀଅଙ୍ଗରେ ଲାଗୁଥିବା ବେଳେ କସ୍ତୁରୀ ମହାପ୍ରଭୁଙ୍କ ଶୃଙ୍ଗାରରେ ଲାଗି ହୋଇଥାଏ। ଆଇଟିସିର ମଙ୍ଗଳଦୀପ୍‌ ଓରମାସ୍‌ ସହିତ ମିଶି ଗ୍ରାମୀଣ ମହିଳାଙ୍କ ଜୀବନ ଜୀବିକାର ବିକାଶ ପାଇଁ ମହିଳା ଏସ୍‌ଏଚ୍‌ଜି ଗ୍ରୁପ୍‌ ସହାୟତାରେ ସେମାନଙ୍କୁ ଅଗରବତୀ ପ୍ରସ୍ତୁତି କାର୍ଯ୍ୟରେ ନିୟୋଜିତ କରାଇଛି ବୋଲି ରାୟଭରମ୍‌ କହିଥିଲେ।