ଆଇଟିରେ ନିବେଶ ପାଇଁ ଆମନ୍ତ୍ରଣ କଲେ ମନ୍ତ୍ରୀ

ଭୁବନେଶ୍ୱର, ୧୮।୯(ବ୍ୟୁରୋ): ତେଲଙ୍ଗାନା ସରକାରଙ୍କ ପକ୍ଷରୁ ହାଇଦ୍ରାବାଦଠାରେ ଶନିବାର ସପ୍ତମ ଡିଜିଟାଲ ଟ୍ରାନ୍ସଫର୍ମେଶନ କନ୍‌କ୍ଲେଭ୍‌ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶାର ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସହ ଆଇଟି କ୍ଷେତ୍ର ସହ ଜଡ଼ିତ ୧୫ ରାଜ୍ୟର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ଏହି ଅବସରରେ ମନ୍ତ୍ରୀ ବେହେରା ଉପସ୍ଥିତ ପ୍ରତିନିଧିଙ୍କୁ ନୂଆ ଆଇଟି ନୀତି ଏବଂ ଆଇଟି ଇକୋସିଷ୍ଟମକୁ ବିକଶିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ। ମନ୍ତ୍ରୀ କହିଥିଲେ, ଓଡ଼ିଶା ଗତ କିଛିବର୍ଷ ମଧ୍ୟରେ ଆଇଟି କ୍ଷେତ୍ରର ବିକାଶ ପାଇଁ ଅନେକ ଆଖିଦୃଶିଆ ପଦକ୍ଷେପ ନେଇଛି। ରାଜ୍ୟରେ ବହୁ ଆଇଟି କମ୍ପାନୀ ପୁଞ୍ଜି ନିବେଶ କରିଥିବାବେଳେ ଆହୁରି ଅନେକ କମ୍ପାନୀ ଏଥିପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଏଠାରେ ବହୁ ଦକ୍ଷ ଆଇଟି ବୃତ୍ତିଧାରୀ ରହିଥିବାରୁ ଓଡ଼ିଶାରେ ଏହି କ୍ଷେତ୍ରରେ ନିବେଶ ପାଇଁ ବ୍ୟାପକ ସୁଯୋଗ ରହିଛି ବୋଲି ସେ ପ୍ରକାଶ କରିଥିଲେ। ଏହି ଅବସରରେ ମନ୍ତ୍ରୀ ବିଭିନ୍ନ ରାଜ୍ୟରୁ ଆସିଥିବା ଆଇଟି ଅଧିକାରୀ ଓ ପ୍ରତିନିଧିଙ୍କୁ ଭେଟିବା ସହ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଆମନ୍ତ୍ରଣ କରିଥିଲେ। ଏଥିପାଇଁ ଓଡ଼ିଶା ସରକାର ସବୁ ପ୍ରକାର ସହଯୋଗ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ମନ୍ତ୍ରୀଙ୍କ ଏହି ଗସ୍ତ ଓଡ଼ିଶାର ଆଇଟି କ୍ଷେତ୍ରକୁ ଅଧିକ ପ୍ରଶସ୍ତ କରିବ ବୋଲି ଆଶା କରାଯାଉଛି।