ଆଇଜାକ୍‌ ହର୍‌ଜୋଗ୍‌ ଇସ୍ରାଏଲ ରାଷ୍ଟ୍ରପତି

ଜେରୁଜେଲମ, ୩ା୬: ଇସ୍ରାଏଲରେ ବୁଧବାର ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ଅଭିଜ୍ଞ ରାଜନେତା ଆଇଜାକ୍‌ ହର୍‌ଜୋଗ୍‌ ବିଜୟୀ ହୋଇଛନ୍ତି। ଇସ୍ରାଏଲ ପାର୍ଲାମେଣ୍ଟ ‘ନେସେଟ୍‌’ରେ ୧୨୦ ଜଣ ସଦସ୍ୟ ରାଷ୍ଟ୍ରପତିଙ୍କୁ ବାଛିବା ପାଇଁ ଭୋଟ ଦେଇଥିଲେ। ୮୭ ଭୋଟ୍‌ ତାଙ୍କ ସପକ୍ଷରେ ପଡ଼ିଥିଲା। ଇସ୍ରାଏଲ ଲେବର ପାର୍ଟିର ପୂର୍ବତନ ମୁଖ୍ୟ ତଥା ବିରୋଧୀ ଦଳ ନେତା ୬୦ ବର୍ଷୀୟ ହର୍‌ଜୋଗ୍‌ଙ୍କ ବିପକ୍ଷରେ ଶିକ୍ଷାବିତ୍‌ ମେରିୟମ ପେରେଜ୍‌ ଛିଡ଼ା ହୋଇଥିଲେ। ଏକ ପ୍ରତିଷ୍ଠିତ ଇହୁଦୀ ପରିବାରରୁ ଆସିଥିବା ହର୍‌ଜୋଗ୍‌ ୨୦୧୩ ନିର୍ବାଚନରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ବିରୋଧରେ ଛିଡା ହୋଇଥିଲେ ହେଁ ପରାଜିତ ହୋଇଥିଲେ। ଆସନ୍ତା ମାସରେ ବର୍ତ୍ତମାନର ରାଷ୍ଟ୍ରପତି ରିୟୁଭେନ୍‌ ରିଭିଲିନ୍‌ଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଥିବାବେଳେ ହର୍‌ଜୋଗ୍‌ ଦେଶର ୧୧ତମ ରାଷ୍ଟ୍ରପତି ହେବେ।

Share