Categories: ଜାତୀୟ

ଆଇଏସ ସହ ସମ୍ପର୍କ: ୩ ସନ୍ଦିଗ୍ଧଙ୍କୁ ଏନଆଇଏର ଜେରା

ନୂଆଦିଲ୍ଲୀ,୨୯ା୪: ଆଇଏସ ସହ ସମ୍ପର୍କ ସନ୍ଦେହରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ପକ୍ଷରୁ କେରଳର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି। ପ୍ରଥମେ ୩ ସନ୍ଦିଗ୍ଧଙ୍କ ମଧ୍ୟରୁ କାସାରଗଡ଼ରେ ରହୁଥିବା ୨ ଜଣ ଓ ପାଲାକାଡ଼ରେ ଥିବା ଜଣଙ୍କ ଘର ଉପରେ ଚଢାଉ କରାଯାଇଥିଲା। ପରେ ଏହି ୩ ସନ୍ଦିଗ୍ଧଙ୍କୁ ଜେରା କରାଯାଇଥିଲା। ଏମାନଙ୍କର ଆତଙ୍କବାଦୀ ସଙ୍ଗଠନ ଆଇଏସ ସହ ସମ୍ପର୍କ ଥିବା ସନ୍ଦେହ କରାଯାଉଛି। କାସାରଗଡ଼ର କେତେକ ଅଭିଯୁକ୍ତ ଆଇଏସ ସହ ସାମିଲ ହେବାକୁ ଇଚ୍ଛୁକ ଥିଲାବେଳେ ଏମାନଙ୍କ ସହ ଏଇ ୩ ଜଣଙ୍କର ସମ୍ପର୍କ ଥିବା ଏନଆଇଏ ସନ୍ଦେହ କରୁଛି। ଚଢାଉବେଳେ ମୋବାଇଲ ଫୋନ୍‌, ସିମ୍‌ କାର୍ଡ, ପେନ୍‌ ଡ୍ରାଇଭ୍‌, କେତେକ ଡିଭିଡି ଓ ସିଡୀ ଜବତ କରାଯାଇଛି। ଆରବୀ ଓ ମାଲୟାଲମ୍‌ ଭାଷାରେ ଲିଖିତ କେତେକ ହ୍ୟାଣ୍ଡନୋଟ୍‌, ଜାକିର ନାୟକ ଓ ସୟେଦ କୁତେବଙ୍କ କେତେକ ଡିଭିଡି ଚଢାଉ ବେଳେ ଏନଆଇଏ ପକ୍ଷରୁ ଜବତ କରାଯାଇଛି। ଏହି ଡିଜିଟାଲ ଡିଭାଇସ୍‌କୁ ଅଦାଲତୀ ଯାଞ୍ଚ ଓ ପରୀକ୍ଷା କରାଯିବ ବୋଲି ଜଣାପଡିଛି। କେରଳରୁ କିଛିଦିନ ହେବ ରହସ୍ୟଜନକଭାବେ ଅଦୃଶ୍ୟ ହୋଇଯାଇଥିବା ୨୧ ଜଣଙ୍କ ଆଇଏସ୍‌ରେ ଯୋଗଦେଇଥିବା ସନ୍ଦେହ କରାଯାଉଛି। ସେମାନଙ୍କ ମଧ୍ୟରୁ କାସାରଗଡ଼ର ୧୭ ଓ ପାଲାକାଡର ୪ ଜଣ ଅଛନ୍ତି। ୩ଜଣ ପିଲା ଓ ୪ ଜଣ ମହିଳା ମଧ୍ୟ ସେମାନଙ୍କ ସହ ସାମିଲ ଅଛନ୍ତି। ଏନେଇ ଏନଆଇଏର ଖୋଳତାଡ ଜାରି ରହିଛି।

Share