‘ଆଇଏଏସ୍‌ ନୁହେଁ, ଯନ୍ତ୍ରୀ ହୁଅନ୍ତୁ ପୂର୍ତ୍ତ ସଚିବ’

ଭୁବନେଶ୍ୱର,୨୩।୭(ବ୍ୟୁରୋ): ପୂର୍ତ୍ତ ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ। ନିର୍ମାଣ ସମ୍ବନ୍ଧିତ ଏହି ବିଭାଗ ହୋଇଥିବାରୁ, ଏହାର ପ୍ରଶାସନିକ ମୁଖ୍ୟଭାବେ ଜଣେ ଯନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଥାଏ। ହେଲେ ରାଜ୍ୟରେ କିଛିମାସ ହେବ ଜଣେ ଆଇଏଏସ୍‌ ଅଧିକାରୀ(ଡକ୍ଟର କ୍ରିଷନ୍‌ କୁମାର) ଏହି ଦାୟିତ୍ୱରେ ଅଛନ୍ତି। ତେଣୁ ରାଜ୍ୟ ସରକାର ତୁରନ୍ତ ତାଙ୍କୁ ଅପସାରଣ କରି ଜଣେ ଅଭିଜ୍ଞସମ୍ପନ୍ନ ଯନ୍ତ୍ରୀଙ୍କୁ ପୂର୍ତ୍ତ ସଚିବ କରନ୍ତୁ ବୋଲି ସନ୍ତୋଷ ସିଂ ସାଲୁଜା ପ୍ରଶ୍ନକାଳରେ କହିଛନ୍ତି। ସେହିପରି ସାଲୁଜା ଅଲଗା ଅଲଗା ଭାବେ ପୂର୍ତ୍ତ ବିଭାଗର ପ୍ରଶ୍ନ ପଚାରୁଥିଲେ ମଧ୍ୟ ବିଧାନସଭାରେ ପ୍ରଶ୍ନଗୁଡିକୁ ସମଷ୍ଟି କରିଦିଆଯାଉଥିବା ଅଭିଯୋଗ ହେଉଛି। ଯାହାଦ୍ୱାରା ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ନିର୍ଦ୍ଦିଷ୍ଟ ଉତ୍ତର ମିଳୁ ନ ଥିବା ସାଲୁଜା ଅଭିଯୋଗ କରିଥିଲେ। ସାଲୁଜା କହିଥିଲେ ଯେ, ସବୁ ବିଭାଗର ଅଧିକାରୀ ଆଇଏଏସ୍‌ ହୋଇପାରିବେ। ହେଲେ ନିର୍ମାଣ ବିଭାଗରେ ଯନ୍ତ୍ରୀ ନିହାତି ଆବଶ୍ୟକ। କାରଣ କୌଣସି ହିସାବ ଯଦି ଭୁଲ ହୋଇଯିବ, ତେବେ ବଡ଼ ବଡ଼ ନିର୍ମାଣ ଭୁଶୁଡିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ। ସେହିଭଳି ସଚିବ ନିର୍ମାଣ ସମ୍ପର୍କରେ ଅନଭିଜ୍ଞ ହୋଇଥିବାରୁ କିଛି ଅଧିକାରୀ ଅସାଧୁ କାର୍ଯ୍ୟ କରିବାର ସୁଯୋଗ ପାଇବେ ବୋଲି ସାଲୁଜା କହିଥିଲେ। ବିଭାଗୀୟ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଉତ୍ତର ଦେଇ କହିଥିଲେ ଯେ, ଜଣେ ଅଧିକାରୀ ବର୍ତ୍ତମାନ ଦାୟିତ୍ୱରେ ଅଛନ୍ତି। ଜଣେ ଯନ୍ତ୍ରୀଙ୍କୁ ଦାୟିତ୍ୱ ଦେବା ପାଇଁ ଚେଷ୍ଟା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ହେଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ହାଲୁକା ଭାବେ ସଚିବ ଫିଟ୍‌ ବୋଲି କହିଥିଲେ। ଯାହାକୁ ନେଇ ସାମାନ୍ୟ ହାସ୍ୟରୋଳ ହୋଇଥିଲା।