ଅହମଦାବାଦରେ ୩ ଓଡ଼ିଆ ଶ୍ରମିକ ପୋଡ଼ିହୋଇ ମୃତ୍ୟୁ ଘଟଣା: ପରିବାର ନିକଟରେ ପହଞ୍ଚିଲା ଜିଲା ପ୍ରଶାସନ

ରସୁଲପୁର,୨୩।୨(ଡି.ଏନ୍‌.ଏ.): ଗୁଜରାଟ ଅହମଦାବାଦର ଏକ କପଡ଼ା ଲେବଲ ପ୍ରସ୍ତୁତି କାରଖାନାରେ ଶନିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ୩ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ସେମାନେ ହେଲେ ଯାଜପୁର ସଦର ଥାନା ଅନ୍ତର୍ଗତ ଜମଧର ଗ୍ରାମର ଦୟାନିଧି ଖୁଣ୍ଟିଆ(୩୭), ଚିନ୍ମୟ ଖୁଣ୍ଟିଆ(୨୫) ଏବଂ କାମେଶ ସିଂ(୨୩)। ଏହି ଘଟଣାରେ ଶ୍ରମିକ ରାଜେନ୍ଦ୍ର ଖୁଣ୍ଟିଆ, ଦୀପୁ ସାମଲ ଓ ଲିପୁ ସାମଲ ଅଳ୍ପକେ ବର୍ତ୍ତି ଯାଇଥିଲେ। ରବିବାର ଯାଜପୁର ଜିଲା ପ୍ରଶାସନ ମୃତକଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି। ଭାରପ୍ରାପ୍ତ ଜିଲାପାଳ ଇନ୍ଦ୍ରମଣି ନାୟକ, ଯାଜପୁର ବିଡିଓ ସୌରଭ ଚକ୍ରବର୍ତ୍ତୀ, ଯାଜପୁର ପୌରାଧ୍ୟକ୍ଷ ଭବପ୍ରକାଶ ଦାସ ପ୍ରମୁଖ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଦେଇଥିଲେ। ମୃତଦେହ ଓଡ଼ିଶା ଅଣାଯାଇ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ଦିଗରେ ବିଚାର ବିମର୍ଶ ଚାଲିଛି ବୋଲି ଜିଲାପାଳ ନାୟକ କହିଛନ୍ତି। ମିଳିଥିବା ସୂଚନା ଅନୁସାରେ ଅହମଦାବାଦର ଓଧାବ୍‌ ଜିଆଇଡିସି ଅଞ୍ଚଳରେ ଥିବା ଲୋଟସ କପଡ଼ା ଲେବଲ୍‌ କାରଖାନାରେ ଉପରୋକ୍ତ ଶ୍ରମିକମାନେ କାର୍ଯ୍ୟ କରନ୍ତି। ଶୁକ୍ରବାର ରାତିରେ ନାଇଟ ଡ୍ୟୁଟି ସାରି ସେମାନେ କାରଖାନାର ୩ୟ ମହଲାରେ ଥିବା ଏକ କୋଠରିରେ ଶୋଇଥିଲେ। ଶନିବାର ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ କୌଣସି କାରଣରୁ କାରଖାନାରେ ନିଅଁା ଲାଗିଯାଇଥିଲା।