Categories: ଜାତୀୟ

ଅହମଦାବାଦରେ ୧୭୨ କରୋନା ପଜିଟିଭ ମହିଳା କରିଛନ୍ତି ସନ୍ତାନ ପ୍ରସବ: ୪୪ ଶିଶୁ ସଂକ୍ରମିତ !

ଅହମଦାବାଦ,୩୧।୫: ଗୁଜୁରାଟରେ କରୋନା ସଂକ୍ରମଣ ସ୍ଥିତି ଖରାପ ଥିବା ବେଳେ ବେଳକୁ ବେଳ ଏଥିରେ ବୃଦ୍ଧି ଘଟୁଛି। ଏବେସୁଦ୍ଧା ଗୁଜରାଟରେ ୧୬,୩୪୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏହାର ଅହମଦାବାଦ ସହର ହଟ୍‌ସ୍ପଟରେ ଆସୁଛି। ତେବେ ବିଗତ ଦିନରେ ପ୍ରାୟ ୧୭୨ ଜଣ ଗର୍ଭବତୀ କରୋନା ପଜିଟିଭ ଥାଇ ସନ୍ତାନ ପ୍ରସବ କରିଥିବା ସୂଚନା ମିଳିଛି। ପ୍ରସବ ପୂର୍ବରୁ କେତେ ଜଣଙ୍କଠାରେ କରୋନାର କୌଣସି ଲକ୍ଷଣ ନ ଥିବା ବେଳେ ପ୍ରସବର ଠିକ୍‌ ପୂର୍ବରୁ ଏମାନଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଅହମଦାବାଦର ସିଭିଲ ହସ୍ପିଟାଲ, ଏସ୍‌ବିପି, ସାରଦାବେନ ଓ ଏଲ୍‌ଜି ହସ୍ପିଟାଲରେ ପାଖାପାଖି ୧୭୨ ଜଣ କରୋନା ପଜିଟିଭ ମହିଳା ସନ୍ତାନ ପ୍ରସବ କରିଥିବା ଏକ ରିପୋର୍ଟରୁ ଜଣାପଡିଛି। ଏମାନଙ୍କ ମଧ୍ୟରୁ ୪୪ ନବଜାତକ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବା କୁହାଯାଇଛି। ନବଭାରତ ଟାଇମ୍ସରେ ପ୍ରକାଶିତ ଏକ ଖବର ଅନୁଯାୟୀ, ସିଭିଲ ହସ୍ପିଟାଲର ଗାଇନାକୋଲି ବିଭାଗର ମୁଖ୍ୟ ଡାକ୍ତର ଅମିତ ମେହେତା କହିଛନ୍ତି, ଗତ ୨ ମାସ ମଧ୍ୟରେ ସେଠାରେ ପ୍ରାୟ ୯୦ ଜଣ ମହିଳା ସନ୍ତାନ ପ୍ରସବ କରିଛନ୍ତି। ଏମାନଙ୍କ ମଧ୍ୟରେ ଅଧିକାଂଶ କରୋନାରେ ପୀଡ଼ିତ ଥିବା ମହିଳା ବୋଲି ସେ କହିଛନ୍ତି। ତେବେ ଏମାନଙ୍କ ମଧ୍ୟରୁ ୩୦ ପ୍ରତିଶତରୁ କମ୍‌ ଶିଶୁ କରୋନାରେ ସଂକ୍ରମିତ ହୋଇଥିବା ସେ ପ୍ରକାଶ କରିଛନ୍ତି। ସେହିପରି ଏସ୍‌ବିପି ହସ୍ପିଟାଲରେ ଗତ ୨ ମାସରେ ପାଖାପାଖି ୭୦ ଜଣ ମହିଳା ସନ୍ତାନ ପ୍ରସବ କରିଥିବା ବେଳେ ଏମାନଙ୍କ ମଧ୍ୟରେ ୧୫ ଶିଶୁଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା। ତେବେ ସମସ୍ତ ଗର୍ଭବତୀ ସୁସ୍ଥ ଥିବା ବେଳେ ଏମାନେ କରୋନାକୁ ସାମ୍ନା କରିଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କର ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଉଥିବା ବେଳେ ଅନ୍ୟ ସମସ୍ତେ ପ୍ରାୟ ଠିକ୍‌ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।

Share