ଅସ୍ବାସ୍ଥ୍ୟକର ପରିବେଶରେ ଗ୍ରାମବାସୀ

ହାଟଡିହୀ, ୨୦।୧୦(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଆଇତିପୁର ଗ୍ରାମର ଦେହୁରୀସାହିର ଲୋକମାନେ ଅସ୍ବାସ୍ଥ୍ୟକର ପରିବେଶରେ ଜୀବନ ବିତାଇ ନାନା ପ୍ରକାର ରୋଗର ସମ୍ମୁଖୀନ ହେଉଛନ୍ତି। ଲୋକମାନେ ଦୀର୍ଘ ବର୍ଷ ହେବ ସମସ୍ୟାର ସମାଧାନ ପାଇଁ ଜନ ପ୍ରତିନିଧିଙ୍କ ଠାରୁ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ବି ସବୁ ଏଠି ଫିକା ପଡିଛି। ପ୍ରାୟ ୩୦ ପରିବାର ଏଠାରେ ବସବାସ କରନ୍ତି। ସାହି ମଝିରେ ପୋଖରୀଟିଏ ଅଛି। ପୋଖରୀ ଚାରିପଟେ ଲୋକମାନେ ବସବାସ କରୁଛନ୍ତି। ଦୀର୍ଘ ବର୍ଷ ହେବ ପୋଖରୀ ବି ସଫା ହେଇନି। ପୋଖରୀ ପାଣି ବିଷାକ୍ତ ପାଲଟିଛି। ପାଣିରେ ଫେଣ ସୃଷ୍ଟି ହୋଇ ପଚା ଦୁର୍ଗନ୍ଧ ବାହାରୁଛି। ଯାହାକି ବ୍ୟବହାର କରିବା ତ ଦୂରର କଥା। ସାହିକୁ ଆସିଥିବା ପାଣି ପାଇପ ବିଭିନ୍ନ ସ୍ଥାନରେ ଫୁଟିଯିବା ସହ ପରିଷ୍କାର ପାଣି ବି ମିଳୁନି। ବହୁ ସମୟରେ ଲୋକମାନେ ଝାଡାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି। ୧୫ ଦିନ ପୂର୍ବରୁ ପାର୍ବତୀ ବେହେରା (୪୫) ନାମକ ଜଣେ ମହିଳା ଜଣ୍ଡିସ ରୋଗରେ ଆକ୍ତାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି। ଏବେ ଚାରି ଜଣ ଟିବି ରୋଗରେ ଚିହ୍ନଟ ହୋଇଛନ୍ତି। ଏଥିସହ ସାହିରେ ଜନ୍ମରୁ ୩ ଜଣ ବିକଳାଙ୍ଗ ଛୁଆ ଜନ୍ମ ହେବା ଉଦ୍‌ବେଗର ବିଷୟ ସାଜିଛି। ପୋଖରୀ ପାଣି ଓ ଦୂଷିତ ପାଇପ ପାଣି ପାଇଁ ଏପରି ନାନା ଦୁର୍ଦ୍ଦଶା ଭୋଗୁଥିବା ସାହିର ସାନନ୍ଦ ନାୟକ, ଧୋଇ ନାୟକ, ମହେନ୍ଦ୍ର ବେହେରା, ପ୍ରହଲ୍ଲାଦ ନାୟକ, ସଦାନନ୍ଦ ବେହେରା, ହାଡିବନ୍ଧୁ ବେହେରା ପ୍ରମୁଖ ପ୍ରକାଶ କରିଛନ୍ତି। ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି।